ଯୁବକଙ୍କୁ ଖଣ୍ଡଖଣ୍ଡ କାଟି ପଲିଥିନରେ କରିଥିଲେ ପ୍ୟାକିଂ

ବଲାଙ୍ଗୀର ଅଫିସ, ୧୭ା୫: ବଲାଙ୍ଗୀର ସହର ସାଲେପାଲିସ୍ଥିତ ଏକ ତାଲାବନ୍ଦ ଭଡାଘରୁ ପଲିଥିନ ପ୍ୟାକିଂ ହୋଇଥିବା ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହକୁ ବୁଧବାର ଟାଉନ୍‌ ପୋଲିସ ଜବତ କରିଛି। ମୃତକ ରିଙ୍କୁ ମେହେର(୨୭) ବୋଲି ଚିହ୍ନଟ କରାଯାଇଛି। ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ କରିଛି।

ସ୍ଥାନୀୟ ଲୋକେ ସାଲେପାଲି ମଠଖାଇ ମନ୍ଦିର ଛକ ନିକଟରେ ଥିବା ଏକ ଘରୁ ଦୁର୍ଗନ୍ଧ ବାହାରୁଥିବା କହିଥିଲେ। ଘର ବାହାର ପଟୁ ତାଲା ପଡିଥିବାରୁ ଲୋକେ ସନ୍ଦେହ କରି ଟାଉନ୍‌ ଥାନା ପୋଲିସକୁ ଖବର କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତାଲାଭାଙ୍ଗି ଘର ଖୋଲିବାରୁ ରିଙ୍କୁ ମେହେରଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଅନେକ ଗୁଡିଏ ଜରି ପ୍ୟାକେଟ୍‌ରେ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲେ। ଏପରିକି ଘର ଭିତରେ ଦୁଇଟି ଟାଙ୍ଗିଆ, ଶାବଳ ଓ ହାତୁଡି ପଡିଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ରିଙ୍କୁଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ପ୍ୟକିଂ କରିଥିବା ପୋଲିସ ଅନୁମାନ କରୁଛି।

ରିଙ୍କୁ ଉକ୍ତ ଘରେ ଦୀର୍ଘ ୮ ବର୍ଷ ହେଲା ରହି ଆସୁଥିଲେ। ପୂର୍ବରୁ ସେ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ନୂଆପଡା ଜିଲା ଖରିଆର ନିକଟବର୍ତ୍ତୀ ଲିଆଡ ଗ୍ରାମର ରିଙ୍କୁ ଦୀର୍ଘ ଦିନ ହେଲା ବଲାଙ୍ଗୀର ଆସି ରହୁଥିଲେ। ଉକ୍ତ ଘରେ ରିଙ୍କୁଙ୍କ ସହ ତାଙ୍କ ବାପା ମାର୍କଣ୍ଡ ମେହେର, ମା’ ଓ ଭାଇ ପିଙ୍କୁ ରହୁଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରିଙ୍କୁଙ୍କ ସହ ପରିବାର ଲୋକଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିବା ଜଣାପଡିଛି। ସାଇଣ୍ଟିଫିକ୍‌ ଟିମ୍‌ର ଛାନବିନ୍‌ ଏବଂ ପୋଲିସ ତଦନ୍ତ ପରେ ୨ରୁ ୩ଦିନ ତଳେ ରିଙ୍କୁଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଟିମ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଇଛି। ପାରିବାରିକ ଗଣ୍ଡଗୋଳ ନଁା ଅନ୍ୟ କେଉଁ କାରଣରୁ ରିଙ୍କୁକୁ ହତ୍ୟା କରାଯାଇଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ଟାଉନ୍‌ ଥାନାରେ ଏକ ମାମଲା (୨୨୨/୨୩) ରୁଜୁ ହୋଇଛି।

Share