ଗଛରୁ ଟାଣିଆଣି ଝୁଣିଲା ଭାଲୁ

ନୂଆପଡ଼ା ଅଫିସ,୬।୫: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୋଦୋପାଲି ଗାଁର ଯୁବକ ଯୁଗଳ ବରିହା (୪୦) କେନ୍ଦୁପତ୍ର ତୋଳୁଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗାଁର ୧୦ରୁ ୧୨ଜଣ ମହିଳା, ପୁରୁଷ ସ୍ଥାନୀୟ କୋଦୋପାଲି ଜଙ୍ଗଲକୁ କେନ୍ଦୁପତ୍ର ତୋଲିବାକୁ ଯାଇଥିଲେ।
ଜଙ୍ଗଲରେ କେନ୍ଦୁପତ୍ର ତୋଳୁଥିବା ବେଳେ ହଠାତ ୩ଟି ଭାଲୁ ଯୁଗଳ ପଟେ ଦୌଡି ଆସିଥିଲେ। ଯୁଗଳ ଗଛକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାଲୁ ତାଙ୍କ ଗୋଡକୁ ଧରି ଟାଣି ତଳେ ପକାଇ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ କରିଦେଇଛି। ଯୁଗଳ ଚିତ୍କାର କରିବାରୁ ପାଖରେ କେନ୍ଦୁପତ୍ର ତୋଳୁଥିବା ଲୋକେ ଦୌଡି ଆସି ଠେଙ୍ଗାବାଡିରେ ଭାଲୁକୁ ଘଉଡାଇଥିଲେ। ଗୁରୁତର ଅବସ୍ଥାରେ ଯୁଗଳଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିି। ତାଙ୍କର ମୁଣ୍ଡ ଓ ଦୁଇ ଜଙ୍ଘ ସହ ଶରୀରର ଅନ୍ୟ ସ୍ଥାନରେ ଅଧିକ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।