ଯୁବକଙ୍କ ଉନ୍ମତ୍ତକାଣ୍ଡ: ନିଜ ଘରେ ଲଗାଇଦେଲେ ନିଆଁ

ଚଣ୍ଡିଖୋଲ,୧୪।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିତଳ ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ୨ ପରିବାରର ୪ ବଖରା ଘର ଜଳି ଯାଇଛି । ଉକ୍ତ ଗ୍ରାମର ଅଜୟ ଦଳେଇ ପ୍ରତିଦିନ ପରି ରବିବାର ମଦ ପିଇ ଘରକୁ ଫେରିଥିଲେ। ଏହାପରେ ନିଜ ପରିବାର ଲୋକଙ୍କ ସହିତ ଝଗଡ଼ା କରିଥିଲେ। ଏତିକିରେ କଥା ସରି ନ ଥିଲା। ସେ ମା’ବାପା ଓ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ସ୍ତ୍ରୀ ମାଡ଼ ସହି ନ ପାରି ନିଜ ବାପ ଘରକୁ ଚାଲିଯାଇଥିଲେ। ଏହି ଘଟଣା ପରେ ଅଜୟ ପୁଣିଥରେ ମଦ ପିଇ ଘରକୁ ଫେରିଥିଲେ। ଶେଷରେ ସେ ନିଜ ଘରେ ନିଆଁ ଲଗାଇ ଦେଇଥିଲେ। ଅପରାହ୍ନ ସମୟରେ କେହି ଘରେ ନ ଥିବାରୁ ନିଆଁ ହୁତୁ ହୁତୁ ହୋଇ ଜଳିଥିଲା। ଶେଷରେ ସେହି ନିଆଁରେ ନିଜର ୨ ବଖରା ପୋଡ଼ିଯିବା ସହିତ ପଡ଼ୋଶୀ ଶତ୍ରୁଘନ ଦଳେଇଙ୍କ ୨ ବଖରା ଜଳିଯାଇଥିଲା। ନିଆଁରେ ଶତ୍ରୁଘନଙ୍କ ସମସ୍ତ ଜିନିଷପତ୍ର ପୋଡ଼ିଯିବା ସହିତ ସେ ଘରେ ରଖିଥିବା କିସ୍ତି ଟଙ୍କା ମଧ୍ୟ ପୋଡ଼ି ଯାଇଛି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ପହଞ୍ଚତ୍ ଥିଲେ ମଧ୍ୟ ସେତେବେଳକୁ ସବୁ ଛାରଖାର ହୋଇଯାଇଥିଲା। ଏହି ଘଟଣା ପରେ ଅଜୟ ଏକ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ। ଏନେଇ ଶତ୍ରୁଘନ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଜୟଙ୍କୁ ଅଟକ ରଖିଛି। ଚଣ୍ଡିତଳ ସରପଞ୍ଚ ସାଗରିକା ବିହାରୀ ବିପନ୍ନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ, ବସ୍ତ୍ର ଓ ପଲିଥିନ ଯୋଗାଇ ଦେଇଛନ୍ତି।

Share