ନ୍ୟାୟ ପାଇଁ ଏସ୍‌ପିଙ୍କୁ ଭେଟିଲେ ଯୁବତୀ

ଭଦ୍ରକ ଅଫିସ, ୧୩ା୧: ୧୨ବର୍ଷ ପ୍ରେମ ପରେ ପ୍ରେମିକଙ୍କ ଦ୍ୱାରା ପ୍ରତାରିତ ତିହିଡ଼ି ଥାନା ଅଞ୍ଚଳର ଜଣେ ଯୁବତୀ ନ୍ୟାୟ ପାଇଁ ଶୁକ୍ରବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୧ରେ ପରିବାର ଲୋକ ପୁରୀ ଯାଇଥିବା ବେଳେ ଯୁବକ ଜଣକ ତାଙ୍କ ଘରେ ପଶି ବଳପୂର୍ବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିବାହ କରିବାକୁ ମନା କରୁଥିଲେ। ପରେ ସରପଞ୍ଚ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ତ କଥା ମାନିବା ପରେ ବିବାହ ପାଇଁ ଯୁବକଙ୍କ ପରିବାର ଲୋକେ ରାଜି ହୋଇଥିଲେ। ଗତ ଡିସେମ୍ବର ୨୨ରେ ଉକ୍ତ ଯୁବକଙ୍କ ଧରମ ମା’ ତାଙ୍କୁ ଘରକୁ ଡାକି ନେଇ କିଛି ପିଇବାକୁ ଦେଇଥିଲେ। ରାତିରେ ଅଚେତ ଅବସ୍ଥାରେ ଯୁବକଙ୍କ ଘର ବାଡ଼ି ପଛପଟୁ ଗଁା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଏନେଇ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ମାମଲା (ନଂ.୫୧୧/୨୨) ରୁଜୁ କରାଯାଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଶେଷରେ ସେ ପରିବାର ଲୋକଙ୍କ ସହ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତିହିଡ଼ି ଥାନାରୁ ଘଟଣା ବିଷୟରେ ବୁଝିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ବରୁଣ ଗୁଣ୍ଟୁପାଲି ପ୍ରତିଶ୍ରୁତି ଦେଇଛନ୍ତି।