ଯୁବତୀଙ୍କ ଚୁଟି ଘୋଷାରୀ ଥାନା ଭିତରେ ପିଟିଲେ ଅଧିକାରୀ

ସାହେବଗଞ୍ଜ: ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଜଣେ ଯୁବତୀଙ୍କୁ ଥାନା ପରିସରରେ ଥାନା ଅଧିକାରୀ ବାଡ଼େଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଡିଜିପି ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି। ତଦନ୍ତ ରିପୋର୍ଟ ଆସିଲା ପରେ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ଥାନା ଅଧିକାରୀଙ୍କ ନାମରେ ଏକ କ୍ରିମିନାଲ କେସ୍‌ ମଧ୍ୟ ରୁଜୁ ହୋଇଛି। ଏହି ଘଟଣାଟି ସାହେବଗଞ୍ଜର ବରହେଟ ଥାନା ପରିସରରେ ଗତ ଜୁଲାଇ ୨୨ରେ ଘଟିଥିଲା। ସ୍ଥାନୀୟ ଅଞ୍ଚଳର ଏହି ଯୁବତୀ ଜଣଙ୍କ ଘରୁ ପଳାଇ ଯାଇ ପ୍ରେମ ବିବାହ କରିଥିଲେ। ଏହି ବିବାହରେ ନାରାଜ ଥିବା ଯୁବତୀଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବରହେଟ୍‌ ଥାନା ଅଧିକାରୀ ହରିଶ ପାଠକ ସେହି ଯୁବତୀଙ୍କୁ ଥାନାକୁ ଆଣିଥିଲେ। ଥାନା ପରିସରରେ ଯୁବତୀଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଚୁଟି ଘୋଷାରୀ ଚାପୁଡ଼ା ମାରିଥିଲେ। ନିକଟରେ କିଛି ପୋଲିସ କର୍ମଚାରୀ ଠିଆ ହୋଇ ଏହି ଘଟଣାକୁ ଦେଖୁଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଯୁବତୀଜଣଙ୍କ ଏହା ପରଦିନ ଏସ୍‌ପିଙ୍କ ନିକଟରେ ଏନେଇ ଅଭିଯୋଗ କରିବା ସହ ଏହାର ଏକ ନକଲ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ରାଜ୍ୟ ମାନବାଧିକାର କମିଶନଙ୍କ ନିକଟକୁ ପଠାଇଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ଅତ୍ୟନ୍ତ ଅନ୍ୟାୟ ଓ ନିନ୍ଦନୀୟ ବୋଲି କହିଛନ୍ତି।

Share