Categories: ଜାତୀୟ

ପ୍ରେମିକଙ୍କୁ ଭେଟିବା ଲାଗି ଗାଁର ବିଜୁଳି କାଟୁଥିଲେ ଯୁବତୀ

ପାଟନା,୨୪ା୭ : ବିହାର ବେଟ୍ଟିହା ଅଞ୍ଚଳର ପ୍ରୀତି ନାମ୍ନୀ ଯୁବତୀ ତାଙ୍କ ପ୍ରେମିକ ରାଜକୁମାରଙ୍କୁ ଅନ୍ଧାର ମଧ୍ୟରେ ଭେଟିବା ପାଇଁ ସାରା ଗାଁର ବିଜୁଳି କାଟିଦେଉଥିଲେ। ବାରମ୍ବାର ବିଜୁଳି କଟୁଥିବାରୁ ଗାଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ଗାଁ ଲୋକେ ପ୍ରେମୀଯୁଗଳଙ୍କୁ ଏକାଠି ଥିବା ସମୟରେ ଧରିବାରୁ ବିଜୁଳି କାଟ୍‌ର ରହସ୍ୟ ପଦାକୁ ଆସିଛି। ପ୍ରୀତି ଓ ରାଜକୁମାରଙ୍କ ପ୍ରେମ ସମ୍ପର୍କ ପଶ୍ଚିମ ଚମ୍ପାରନର ଦୁଇ ଗାଁରେ ସପ୍ତାହେ ହେଲା ଉତ୍ତେଜନା ସୃଷ୍ଟି କରିଥିଲା। ବାରମ୍ବାର ବିଜୁଳି କଟୁଥିବାରୁ ଗାଁରେ ଚୋରି ବଢ଼ିବା ସହ ଲୋକେ ଅସୁବିଧାରେ ପଡ଼ିଥିଲେ। ଗାଁ ଲୋକେ ବାରମ୍ବାର ବିଦ୍ୟୁତ କାର୍ଯ୍ୟାଳୟରେ ଅଭିଯୋଗ କରି ବିଫଳ ହୋଇଥିଲେ।

ଶେଷରେ ବିଜୁଳି କାଟ୍‌ର ପ୍ରକୃତ କାରଣ ଜାଣିବାକୁ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ। ପୁଣି ଥରେ ବିଜୁଳି ଯାଇଥିବାବେଳେ ସେମାନେ ରାଜକୁମାର ଓ ପ୍ରୀତିଙ୍କୁ ଏକାଠି ଧରିଥିଲେ। ସେମାନେ ରାଜକୁମାରଙ୍କୁ ମାଡ଼ ମାରୁଥିବାବେଳେ ପ୍ରୀତି ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରେ ଦୁଇ ଗାଁର ଲୋକେ ରାଜକୁମାରଙ୍କୁ ପ୍ରୀତିଙ୍କ ସହ ବିବାହ କରାଇବାକୁ ପ୍ରସ୍ତାବ ଦେଇଥିଲେ। ସ୍ଥାନୀୟ ମନ୍ଦିରରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି।

Share