କାଠ ସଂଗ୍ରହ କରିବାକୁ ଯାଇ ଯୁବତୀ ଖାଇଲେ ଗୁଳି ମାଡ଼

ସୁନ୍ଦରଗଡ଼, ୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଅଭାବନୀୟ ଘଟଣା ଘଟିଛି। ମହିଳାମାନଙ୍କ ସହ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଉର୍ବଶୀ ନାଏକ (୧୮) ନାମ୍ନୀ ଜଣେ ଯୁବତୀ ବାର୍‌ହା ଶିକାରୀଙ୍କ ଗୁଳିରେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାରକରି ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଯୁବତୀଙ୍କ ଘର ଧୂମାଗଡ଼ା ଗ୍ରାମରେ। ସେ ଲମଟି ଗ୍ରାମରେ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି।
ଯୁବତୀ ଜଣକ ଅନ୍ୟ କେତେଜଣ ମହିଳାଙ୍କ ସହ ମିଶି ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରୁଥିଲେ। ଏହି ସମୟରେ ବାର୍‌ହା ଶିକାର ପାଇଁ ଜଙ୍ଗଲରେ ଛପିଥିବା ଶିକାରୀମାନେ ଶବ୍ଦ ଶୁଣିଥିଲେ। ବାର୍‌ହା ଆସୁଥିବା ଭାବି ଶବ୍ଦ ଆସୁଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଗୁଳିଟି ଯାଇ ଏହି ଯୁବତୀଙ୍କ ପଛରେ ବାଜିଥିଲା। ଗୁଳି ବାଜିବା ମାତ୍ରେ ସେ ଚିତ୍କାର କରିଥିଲେ। ପାଖରେ ଥିବା ମହିଳାମାନେ ତାଙ୍କୁ ଉଦ୍ଧାର କରି ଗାଁକୁ ଆଣିଥିଲେ। ଗାଁ ଲୋକଙ୍କ ସହାୟତାରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସା ପରେ ଯୁବତୀ ଜଣକ ବିପଦମୁକ୍ତ ଅଛନ୍ତି। ଖବରପାଇ ଧରୁଆଡିହି ଥାନା ଆଇଆଇସି ଅଲେଖ ଚନ୍ଦ୍ର ସେଠୀ ପହଞ୍ଚତ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଲମଟି ଜଙ୍ଗଲକୁ ଘେରାଉ କରି ଖାନତଲାସି ଚଳାଇଛନ୍ତି।

Share