ଯୁବତୀଙ୍କ ଗଳାକାଟି ହତ୍ୟା: ନଦୀପଠାରୁ ମିଳିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ବରଗଡ଼,୬।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ  ଭଡ଼ିଗାଁ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡ଼ା ଗ୍ରାମ ମଝିରେ ପ୍ରବାହିତ ଜୀରାନଦୀ ପୋଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ନିର୍ମମଭାବେ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଯୁବତୀଙ୍କ ଗଳାକାଟି  ମୃତଦେହକୁ  ପୋଲ ତଳେ ଥିବା ନଦୀପଠାକୁ ଫିଙ୍ଗି ଦେଇଥଇଲେ। ଏହି ଅମାନବୀୟ କାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର୍‌ ହୋଇ ଯାଇଛନ୍ତି।
ଅନ୍ୟପକ୍ଷରେ ବୁଧବାର ସକାଳୁ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଦେଖିବା ପରେ ବରଗଡ଼ ଭଟଲି ଥାନା ଏବଂ ସଦର ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ତଦନ୍ତ ଚଲାଇଛି। ଘଟଣାସ୍ଥଳରୁ ପୋଲିସ ଏକ ଧାରୁଆ ଛୁରୀ ଜବତ କରିଛି। ମୃତ ଯୁବତୀଙ୍କ ପାଖରୁ ଏକ ମନିପର୍ସ, ଏଟିଏମ୍‌ କାର୍ଡ, ବସ୍‌ ଟିକେଟ ମିଳିଛି। ଯୁବତୀଙ୍କ ପରିଚୟ ମିଳି ନ ଥିବାବେଳେ ଏଟିଏମ୍‌ କାର୍ଡ ଏବଂ ବସ୍‌ ଟିକେଟରୁ ମୃତ ଯୁବତୀଙ୍କ ପରିଚୟ ମିଳିପାରେ ବୋଲି ଅନୁମାନ କରାଯାଉଛି।  ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ମୃତ ଯୁବତୀଙ୍କ ପାଖରୁ ମିଳିଥିବା ଏଟିଏମ କାର୍ଡ ଆଧାରରେ ମୃତକଙ୍କ ପରିଚୟ ଖୋଜିବା ସହିତ ଅଧିକ ତଦନ୍ତ ଚାଲିଛି ବୋଲି ବରଗଡ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି। ତେବେ  କେତେଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ସହିତ ଅଭିଯୁକ୍ତଙ୍କୁ ଧରି ପାରୁଛି, ତାହା ଏବେ ବରଗଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡିଛି।