କଟକରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

କଟକ ଅଫିସ,୧୬ା୮- ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହୋଇଛନ୍ତି। ସହରରେ ବର୍ତ୍ତମାନ ୮୨୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ବର୍ଷରୁ କମ୍‌ ବୟସ ଭିତରେ ୧୨୪ ଜଣ ଆକ୍ରାନ୍ତ ଥିବାବେଳେ ୨୧ରୁ ୪୦ ବର୍ଷ ଭିତରେ ୩୭୫, ୪୧ରୁ ୬୦ ଭିତରେ ୨୬୧ ଓ ୬୦ରୁ ଅଧିକ ବୟସ୍କଙ୍କ ମଧ୍ୟରେ ମାତ୍ର ୬୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ରବିବାର ଏହି ସୂଚନା ଦେଇଛନ୍ତି।
ଗତ ସପ୍ତାହ (୮ରୁ ୧୪ ଅଗଷ୍ଟ) ଭିତରେ କଟକ ସହରର ସ୍ଥିତି ନେଇ କମିଶନର କହିଛନ୍ତି, ଏହି ସମୟରେ ୬୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୧୬୫, ଗୃହ ସଙ୍ଗରୋଧରୁ ୧୭୪, ସରକାରୀ ସଙ୍ଗରୋଧରୁ ୧୨୭ ଓ ସ୍ଥାନୀୟ ଆକ୍ରାନ୍ତ ଭାବେ ୧୩୯ ଜଣ ରହିଛନ୍ତି। ଅନ୍ୟପକ୍ଷରେ ସହରରେ କରୋନା ପରୀକ୍ଷା ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସିଡିଏ ଓ ଚାଉଳିଆଗଞ୍ଜ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆର୍‌ଟି-ପିସିଆର୍‌ ଟେଷ୍ଟିଂ ହେଉଛି। ସେହିଭଳି ୫ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଜଗତପୁର, ନୟାବଜାର, ବାମ୍ପକୁଦ, ବିଡ଼ାନାସୀ ଓ ଷଣ୍ଢପୁରରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଛି। ସହରର ବଳକା ୫ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଖୁବ୍‌ ଶୀଘ୍ର ଆଣ୍ଟିଜେନ୍‌ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ। ସହରବାସୀ ଅଧିକରୁ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ସେ ଆହ୍ବାନ ଦେଇଛନ୍ତି।