ବଡ଼ଭାଇ ଆକ୍ରମଣରେ ସାନ ମୃତ

ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ନୂଆ ବାଙ୍କତରାରେ ଗୁରୁବାର ଜମିରେ ପାଣି ମଡାଇବାକୁ କେନ୍ଦ୍ରକରି ବଡ଼ଭାଇ ଆକ୍ରମଣରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ଦୁଇଭାଇଙ୍କ ଗଣ୍ଡଗୋଳ ଛଡ଼ାଇବାକୁ ଆସି ସେମାନଙ୍କ ୨ ପୁଅଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କବିରାଜ ଗୌଡ (୫୮)। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗଣ୍ଡଗୋଳ ବେଳେ ବ୍ୟବହୃତ ୨ଟି ଟାଙ୍ଗିଆ ପୋଲିସ ଜବତ କରିଛି।

ନୂଆ ବାଙ୍କତରାର କବିରାଜ ଏବଂ ତାଙ୍କ ପୁଅ ଗହନ ଗୁରୁବାର ଜମିକୁ ପାଣି ମଡାଇବାକୁ ଯାଇଥିଲେ। ଏହି ସମୟରେ କବିରାଜଙ୍କ ବଡ଼ଭାଇ ଦେବରାଜ ଗୌଡ ଓ ତାଙ୍କ ପୁଅ କାହ୍ନୁ ମଧ୍ୟ ଜମିକୁ ଯାଇଥିଲେ। କେନାଲରୁ ପାଣି ନେବାକୁ ନେଇ କବିରାଜ ଏବଂ ଦେବରାଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଆକ୍ରମଣ, ପ୍ରତିଆକ୍ରମଣ ହେବାରୁ ତାଙ୍କ ୨ ପୁଅ ଓ ଗଣ୍ଡଗୋଳ ଛଡ଼ାଇବାକୁ ଆସିଥିବା ଦୁଇ ଜଣ ଛେଳିଚରାଳି ବରୁଣ ଗୌଡ ଓ ରବୀନ୍ଦ୍ର ଗୌଡ ମଧ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ। କବିରାଜଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି। ଜଣେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଭଞ୍ଜନଗର ଏସଡିପିଓ ସୁଜିତ ନାୟକ, ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି ଏବଂ ତାରସିଂ ପୋଲିସ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି।

Share