Categories: ଫୁରସତ

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣିଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କରିଦେଲେ ଗୃହରେ ଶାନ୍ତି ଓ ଖୁସିର ବାତାବରଣ ଆସିଯିବ ତାହା ଭାବିବା ଠିକ୍‌ ନୁହେଁ। ଏଥିପାଇଁ ନିଜକୁ ବି କିଛି ହାଲ୍‌କା ପରିଶ୍ରମ କରିବାକୁ ପଡିବ। ଘରଦ୍ୱାରକୁ ପରିଷ୍କାର, ପରିଚ୍ଛନ୍ନ ରଖିବାକୁ ହେବ। ଭାଙ୍ଗି ଯାଇଥିବା ଆସବାବପତ୍ରକୁ ସଜାଡିବାକୁ ହେବ। ରଙ୍ଗ ଛାଡ଼ି ଯାଇଥିବା କିମ୍ବା ଦାଗ ଲାଗିଯାଇଥିବା କାନ୍ଥକୁ ରଙ୍ଗ କରିବାକୁ ପଡିବ। ଘରର ପ୍ରତିଟି କୋଣ ତଥା ଲାଇଟ୍‌, ଫ୍ୟାନ୍‌ ଆଦିକୁ ପୋଛି ଅଳନ୍ଧୁ ସଫା କରିବାକୁ ହେବ ଇତ୍ୟାଦି ଇତ୍ୟାଦି। କିନ୍ତୁ ଏସବୁ କାମ କେବଳ ଗୋଟିଏ ଦିନ ନୁହେଁ, ବରଂ ବର୍ଷସାରା କଲେ ନିଜେ ଖୁସିରେ ରହିବା ସହ ଅନ୍ୟମାନଙ୍କୁ ବି ଖୁସିରେ ରଖିପାରିବେ। କାରଣ ଘରଦ୍ୱାରକୁ ପରିଷ୍କାର, ପରିଚ୍ଛନ୍ନ ରଖିଲେ ପ୍ରଥମତଃ ଘର ଜୀବାଣୁ ମୁକ୍ତ ରହିବ। ଦ୍ୱିତୀୟରେ ମା’ ଲକ୍ଷ୍ମୀଙ୍କର କରୁଣା ଲାଭ ହେବ। କାରଣ ବିଶ୍ୱାସ ରହିଛି ଯେ, ପରିଷ୍କାର, ପରିଚ୍ଛନ୍ନ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ତୃତୀୟରେ ମନକୁ ବି ଶାନ୍ତି ମିଳିବ। ଅପରିଷ୍କାର ଘରେ ରହିଲେ ମନ ଅବସାଦଗ୍ରସ୍ତ ହୋଇଥାଏ ବୋଲି ମନସ୍ତତ୍ୱବିଦ୍‌ମାନେ ମତ ଦେଇଥାନ୍ତି। ତେଣୁ ନିଜ ଘରକୁ କିପରି ସଜାଇ ଆତ୍ମସନ୍ତୋଷ ଲଭିପାରିବେ ସେ ବିଷୟରେ ଏବେ ଚିନ୍ତା କରିବା ଆବଶ୍ୟକ।

Share