Categories: ଫୁରସତ

ପାଟି ଜଳିଯିବ ଖାଇଲେ ଏଇ ଆଇସ୍‌କ୍ରିମ୍‌

ଥଣ୍ଡା ଥଣ୍ଡା, ମିଠା ମିଠା ଆଇସ୍‌କ୍ରିମ ଖାଇବାର ମଜା ଅଲଗା। ତେଣୁ ଛୋଟରୁ ବଡ଼ ପ୍ରାୟ ସମସ୍ତଙ୍କର ଏହା ପ୍ରିୟ। ଆଉ ଖରାଦିନେ ତ ଏହାର ଚାହିଦା କାହିଁରେ କେତେ ବଢିଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ ଆଇସ୍‌କ୍ରିମ ଅଛି, ଯାହାର ସ୍ବାଦ ମିଠା ନୁହେଁ ବରଂ ରାଗ। ସ୍କଟଲାଣ୍ଡର ଅଲ୍ଡଓ୍ବିଚ୍‌ କାଫେରେ ମିଳେ ଏହି ଆଇସ୍‌କ୍ରିମ୍‌, ଯାହାର ନାମ ‘ରେସ୍ପିରୋ ଡେଲ ଡିଆଭୋଲୋ’ ତଥା ‘ବ୍ରେଥ୍‌ ଅଫ୍‌ ଦ ଡେଭିଲ୍‌’। ଏହା ପାରମ୍ପରିକ ଇଟାଲୀୟ ପଦ୍ଧତିରେ ତିଆରି ହୋଇଥାଏ। ଆଉ ଏହାକୁ ଏଭଳିଆ ରାଗ ଲଙ୍କାରେ ତିଆରି କରାଯାଇଛି ଯେ, ସାରା ପୃଥିବୀରେ ଏହି ଆଇସ୍‌କ୍ରିମ୍‌କୁ ସବୁଠୁ ବିପଜ୍ଜନକ ଆଇସ୍‌କ୍ରିମ ଭାବେ ଗଣନା କରାଯାଉଛି। ଅଲ୍ଡଓ୍ବିନ୍‌ କାଫେର ମାଲିକ ମାର୍ଟିନ ବନ୍ଦୋନି ଏହାକୁ ସ୍କଟଲାଣ୍ଡର ଗ୍ଲାସ୍କୋରୁ ନିଜ କାଫେକୁ ଆଣିଛନ୍ତି। ଆଉ ଏହାର ପ୍ରସ୍ତୁତି ଯେମିତି ପାରମ୍ପରିକ ଇଟାଲୀୟ ପଦ୍ଧତିରେ ହେବ ସେଥିପ୍ରତି ସେ ଖାସ୍‌ ଧ୍ୟାନ ରଖିଥାନ୍ତି। ମାର୍ଟିନଙ୍କ ଭାଇ ଲି’ ବନ୍ଦୋନି ଏହି ଆଇସ୍‌କ୍ରିମ୍‌ର ନାମକରଣ ସମ୍ପର୍କରେ କୁହନ୍ତି ଯେ, ‘ଇଟାଲିରେ ଡେଭିଲ୍ସ ବ୍ରିଜ୍‌ ନାମକ ସ୍ଥାନରେ ଏକ ପରିବାର ଥିଲା ଯେକି ପ୍ରତିବର୍ଷ ଏକାଠି ହେବାବେଳେ ବର୍ଷ ତମାମର ସୁଖଦୁଃଖ ହେଉଥିଲେ। ଆଉ ସେହି ପରିବାରର ପୁରୁଷ ପ୍ରାୟତଃ ନିଜର ବାହାଦୁରୀ ଦେଖାଇବା ପାଇଁ ଏହି ଆଇସ୍‌କ୍ରିମ ଖାଉଥିଲେ। ତେଣୁ ଏହି ଆଇସ୍‌କ୍ରିମର ନାମ ପରବର୍ତ୍ତୀ ସମୟରେ ‘ବ୍ରେଥ୍‌ ଅଫ୍‌ ଦ ଡେଭିଲ୍‌’ ରଖାଗଲା।’ ଏହି ଆଇସ୍‌କ୍ରିମ କେବଳ ସ୍କଟଲାଣ୍ଡ ଓ ଇଟାଲୀରେ ହିଁ ମିଳେ। ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ହିଁ ଏହାକୁ ଖାଇବାର ଅନୁମତି ଅଛି।

Share