Categories: ଜାତୀୟ

ସମୟ ସହିତ ନିଜର ପରିବର୍ତ୍ତନ ଜରୁରୀ…

ଅହମଦାବାଦ, ୨୧।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସିଭିଲ୍‌ ସର୍ଭିସ୍‌ ଡେ ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ସମୟ ସହ ନିଜର କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆଣି ଗତି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ତିନୋଟି ଲକ୍ଷ୍ୟ ତାଲିକାଭୁକ୍ତ କରିଛନ୍ତି। ଆମେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଛୁ ଏବଂ ଆମର ସାମ୍ନାରେ ତିନୋଟି ଲକ୍ଷ୍ୟ ଅଛି।

ପ୍ରଥମେ, ଦେଶରେ ସାଧାରଣ ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ହେବା ଉଚିତ୍‌, ତାଙ୍କ ଜୀବନ ସହଜ ହେବା ଆବଶ୍ୟକ ଏବଂ ସେମାନେ ମଧ୍ୟ ଏହାକୁ ଅନୁଭବ କରିବା ଉଚିତ। ଦ୍ୱିତୀୟତଃ ଆଜି ଆମେ ଯାହା ବି କରିବା ତାହା ସାମ୍ପ୍ରତିକ ବିଶ୍ୱ ପ୍ରସଙ୍ଗରେ ସାମ୍ୟତା ରଖୁଥିବା ଜରୁରୀ। ତୃତୀୟରେ ଆମର ପ୍ରାଥମିକ ଦାୟିତ୍ୱ ହେଉଛି ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା।

ସମ୍ଭବ ହେଲେ ଅଧିକାରୀମାନେ କାର୍ଯ୍ୟ କରୁଥିବା ନିଜ ନିଜ ଜିଲାର ପୂର୍ବତନ ଜିଲାପାଳଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରଛନ୍ତି। ସେହିଭଳି, ପୂର୍ବତନ ମୁଖ୍ୟ ସଚିବ, ରାଜ୍ୟର କ୍ୟାବିନେଟ ସଚିବ ପ୍ରମୁଖଙ୍କୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ସମ୍ମାନୀତ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ୭୫ ବର୍ଷର ସ୍ବାଧୀନତାରେ ଭାରତକୁ ଆଗେଇ ନେବାରେ ତଥା ଦେଶର ପ୍ରଗତିରେ ସେମାନଙ୍କର ଅନ୍ୟାନ୍ୟ ଅବଦାନ ରହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୨୦-୨୨ ବର୍ଷ ଧରି ମୁଁ ଆପଣଙ୍କ ଭଳି ଅଧିକାରୀଙ୍କ ସହିତ ଏଭଳି କଥାବର୍ତ୍ତା କରି ଆସୁଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ କରୁଥିବାବେଳେ ଏବେ ପ୍ରଧାନମନ୍ତ୍ରୀ ଭାବେ କରୁଛି। କେତେକ କଥା ଆପଣଙ୍କଠାରୁ ଶିଖୁଛି ଏବଂ ନିଜର ବାର୍ତ୍ତା ଆପଣଙ୍କ ପାଖରେ ପହଞ୍ଚାଇ ପାରୁଛି।

Share