ତୋର ମୋର ଯୋଡ଼ି ସୁନ୍ଦର

କେତେବେଳେ ସେ ଥିଲେ ଅର୍ଚ୍ଚିତାଙ୍କ ପାଉଁଜି ପାଇଁ ପାଗଳ। ପୁଣି ତାଙ୍କ ପ୍ରେମରେ ପାଗଳ ହୋଇ ସାଜିଥିଲେ ସପନର ସୌଦାଗର। ପୁଣି ସେ କହୁଥିଲେ, ‘କେବେ ତମେ ନାହଁ କେବେ ମୁଁ ନାହିଁ’। କାରଣ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା ପାଗଳ ପ୍ରେମୀ ଭାବରେ। ହଁ, ଏସବୁ ଘଟଣାର ସଂଯୋଗ ରହିଛି ଓଡ଼ିଆ ସିନେମାର ଅନ୍ୟତମ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କର ରିଲ୍‌ ଲାଇଫ ସହ। ପରଦା ଉପରେ ଦୁହେଁ ଦର୍ଶକଙ୍କ ମନକୁ କେତେ ଜିଣିଛନ୍ତି ତାହା କହିବା ବାହୁଲ୍ୟ। ଆଉ ନିକଟରେ ସମସ୍ତଙ୍କୁ ଚକିତ କରି ଦୁହେଁ ସତସତିକା ସ୍ବାମୀ-ସ୍ତ୍ରୀ ସାଜିଛନ୍ତି। କିଛି ଦିନ ପୂର୍ବେ ଏହି ଯୋଡ଼ି ରାଜସ୍ଥାନରେ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି। ନିଜର ନୂଆ ଜୀବନ ଆରମ୍ଭ କରିବା ଅବସରରେ ସବ୍ୟସାଚୀ କହନ୍ତି, ‘ମୋ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ସର୍‌ପ୍ରାଇଜ ଦେବାକୁ ଭାବିଥିଲି। କାରଣ ସେମାନଙ୍କର ଭଲ ପାଇବା ନିକଟରେ ମୁଁ ସବୁଦିନ ପାଇଁ ଋଣୀ ହୋଇ ରହିବି। ପୂର୍ବରୁ ଦୁହେଁ କ୍ୟାମେରା ସାମ୍‌ନାରେ ଆକ୍ଟିଂ କରୁଥିଲୁ। ଏବେ ରିୟଲ ଜୀବନର ଆରମ୍ଭ। ମୋର ଆଶା ସମସ୍ତଙ୍କ ଆଶୀର୍ବାଦ ବଳରେ ଆମ ବୈବାହିକ ଜୀବନ ଖୁସିରେ କଟିବ। ଅର୍ଚ୍ଚିତାଙ୍କୁ ସ୍ତ୍ରୀ ରୂପେ ପାଇ ମୁଁ କେତେ ଖୁସି ତାହା ବର୍ଣ୍ଣନା କରିବାକୁ ମୋ ନିକଟରେ ଭାଷା ନାହିଁ। ତାଙ୍କୁ ଏତିକି କହିବି ‘ତୋର ମୋର ଯୋଡ଼ି ସୁନ୍ଦର’ ଆଉ ତୁମ ଖୁସିରେ ମୋ ଖୁସି।’ ସୂଚନାଯୋଗ୍ୟ, ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ‘ଓ ମାଇ ଲଭ୍‌’ରୁ ଅର୍ଚ୍ଚିତା ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିବା ବେଳେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପାଗଳ ପ୍ରେମୀ’ରୁ ଓଡ଼ିଆ ସିନେମାରେ ଏଣ୍ଟ୍ରି କରିଥିଲେ ସବ୍ୟସାଚୀ।

Share