ଦାଦାବଟି ମାଗିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ବେଲପଡ଼ା,୧୨ା୨(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପୋଲିସ ଦାଦାବାଟି ମାଗିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମଣ୍ଡଳ ଗ୍ରାମର ଅବନୀକାନ୍ତ ମହାନ୍ତି(୪୦)। ପୋଲିସ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।

ପୋଲିସ ସୂଚନା ମୁତାବକ, ଗତ ୩ ତାରିଖ ଦୀପକ କଲେକ୍ସନ କପଡା ଦୋକାନର ମାଲିକ ଦୀପକ ଠାକୁର ଦୋକାନରେ ଥିଲା ବେଳେ ଅବନୀକାନ୍ତ ପହଞ୍ଚି ଟଙ୍କା ମାଗିବା ସହ ଗଣ୍ଡଗୋଳ କରିଥିଲେ। ଏପରିକି ପେଟ୍ରୋଲ ଢାଳି ଦୋକାନକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଦୋକାନର କିଛି କପଡା ପୋଡିଯାଇଥିବା ବେଳେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାକୁ ନେଇ ସେ ସମୟରେ ଗ୍ରାମରେ ସମାଧାନ ହୋଇଯାଇଥିଲା। ହେଲେ ଗତ ୧୧ତାରିଖ ଅବନୀକାନ୍ତ ଉକ୍ତ ଦୋକାନକୁ ପୂନର୍ବାର ଯାଇ ଗଣ୍ଡଗୋଳ କରିବା ସହ ଟଙ୍କା ମାଗିଥିଲେ। ଏହାକୁ ନେଇ ସ୍ଥାନୀୟ ଯୁବକମାନେ ତାଙ୍କୁ କାବୁ କରି ଥାନାକୁ ଜଣାଇଥିଲେ। ଦୋକାନ ମାଲିକ ଦୀପକ ଠାକୁରଙ୍କ ଅଭିଯୋଗ ଆଧାରକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୬/୨୪)ରୁଜୁ କରି ତଦନ୍ତ କରିଥିଲା।

Share