ଠେଙ୍ଗା ମାଡ଼ରେ ଯୁବକଙ୍କ ମୃତ: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ଭବାନୀପାଟଣା,୧୦।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଖମାରପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଗ୍ରାମର ଡମେନ ମାଝି(୫୦) । ତେବେ ହତ୍ୟା ଅଭିଯୋଗରେ ଉକ୍ତ ଗ୍ରାମର ଚକ୍ର ମାଝିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ,ଖମାରପଦର ଗ୍ରାମର ଡମେନ ମାଝି ଓ ତାଙ୍କ ସ୍ତ୍ରୀ ଲଛମାଏ ସାରେ ଶୀତ ହେବାରୁ ଘର ଦୁଆରେ ନିଆଁ ପୋଉଁଥିଲେ। ଏହି ସମୟରେ ଗ୍ରାମର ଚକ୍ର ମାଝି ନାମକ ଜଣେ ଯୁବକ ଡମେନ ମାଝିଙ୍କ ମୁଣ୍ଡକୁ ହଟାତ ଠେଙ୍ଗାରେ ପ୍ରାହାର କରିଥିଲେ। ଫଳରେ ଘଟଣାସ୍ଥଳରେ ଡମେନ ମାଝିଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମୃତ ଡମେନ ମାଝିଙ୍କ ପୁତୁରା ଜୟସିଂ ମାଝି କାକାକୁ ହତ୍ୟା କରିଥିବା ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ । ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝି ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ।