
ବଲାଙ୍ଗୀର,୨୫।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଡୁମେରଝରନ ଗାଁର ଜଣେ ଯୁବକଙ୍କ ମୃତଦେହ ନିକଟସ୍ଥ ଏକ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଡୁମ୍ବେର ଝରନ ଗାଁର ଶତ୍ରୁଘ୍ନ ପଟେଲ (୩୬)। ଶତ୍ରୁଘ୍ନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି l ମୃତଦେହକୁ ପୋଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏହି ଘଟଣାକୁ ବଲାଙ୍ଗୀର ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି l କିଛି ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।