Categories: ଜାତୀୟ

ରାହୁଲଙ୍କ ଆକାଉଣ୍ଟ ବନ୍ଦ: ଟୁଇଟର ଅଫିସ ବାହାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୯।୮: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ସାମୟିକ ଭାବେ ବନ୍ଦ ହେବା ପରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ହେବାରେ ଲାଗିଛି। ସୋମବାର ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀ ଟୁଇଟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସଙ୍କ ଆହ୍ବାନକ୍ରମେ ଏହି ପ୍ରଦର୍ଶନ କରାଯାଇଛି।

ସରକାରଙ୍କ ଚାପ ଯୋଗୁ ଟୁଇଟର ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ବନ୍ଦ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏଥିସହ ଯୁବ କଂଗ୍ରେସ ପକ୍ଷରୁ ଏକ ଟୁଇଟ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ରାହୁଲ ସବୁବେଳେ ସତ୍ୟକୁ ସମର୍ଥନ କରିଥାନ୍ତି। ତେବେ କାହା ନିର୍ଦ୍ଦେଶରେ ଭୁଲରେ ତାଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରାଯାଇଛି। ଟୁଇଟର ଏହାର ଜବାବ ରଖୁ ବୋଲି ଯୁବ କଂଗ୍ରେସ କହିଛି। ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀର ୯ବର୍ଷୀୟ ପୀଡ଼ିତାଙ୍କ ବାପା ମା’ଙ୍କୁ ସାକ୍ଷାତକାର କରିଥିଲେ। ଏହି ସାକ୍ଷାତକାରର ଏକ ଫଟୋକୁ ରାହୁଲ ଟୁଇଟରରେ ପୋଷ୍ଟ କରିଥିଲେ। ଏହାପରେ ଟୁଇଟର ରାହୁଲଙ୍କ ଆକାଉଣ୍ଟରୁ ଉକ୍ତ ଟୁଇଟକୁ ହଟାଇବା ପରେ ତାଙ୍କ ଆକାଉଣ୍ଟକୁ ଲକ୍‌ କରିଦେଇଥିଲା।

Share