ଘରକୁ ଆସୁଥିଲେ: ୭ କି.ମି ଦୂରରେ ଚାଲିଗଲା ଜୀବନ

ସୋରଡ଼ା,୧୩।୨(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ୫୯ ନମ୍ବର ଜାତୀୟ ରାଜପଥ ପଙ୍କଳବାଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହୁକୁମା ଗ୍ରାମର ଜୁରିଆ ପ୍ରଧାନଙ୍କ ପୁଅ ଜଗନ୍ନାଥ ପ୍ରଧାନ(୪୫)। ସେ ବ୍ରହ୍ମପୁରର ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

ମିଳିଥିବା ସୂଚନା ମୁତାବକ, ଜଗନ୍ନାଥ ମଙ୍ଗଳବାର ସକାଳେ ବ୍ରହ୍ମପୁରରୁ ବାଇକ୍‌ ଯୋଗେ ଘରକୁ ଆସୁଥିଲେ। ହେଲେ ଘରଠାରୁ ୭ କି.ମି ଦୂରରେ ୫୯ ନମ୍ବର ଜାତୀୟ ରାଜପଥ ପଙ୍କଳବାଡି ନିକଟରେ ବାଇକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଜଗନ୍ନାଥ ଗୁରୁତର ହୋଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ, ପୋଲିସ ପହଞ୍ଚି ଜଗନ୍ନାଥଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଇଆଇସି ଅନିଲ କୁମାର ପରିଡ଼ା ,ଏସ୍‌ଆଇ ସୁକାନ୍ତି ଦେଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସରପଞ୍ଚ ରବି ମଲିକଙ୍କ ସମେତ ଗ୍ରାମବାସୀ ମେଡିକାଲରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

 

Share