ଏମ୍.ରାମପୁର,୧୩।୮(ଶଶୀଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁର ନିକଟ ବୁରାଟ ଗ୍ରାମସ୍ଥିତ ମାଗୃହ ସମ୍ମୁଖରେ ଏକ ଗାଡ଼ି ଧକ୍କାରେ ଆମ୍ବଗାଁ ବାବୁପଡ଼ାର ବଣ୍ଟି ମହାଖୁଡ(୨୪)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ମ. ରାମପୁର ଥାନାରେ ଏକ ମାମଲା ରୁଜୁ ହେଇଛି। ଏହା ଦୁର୍ଘଟଣାଜନିତ ନୁହେଁ, ଏହା ଏକ ଯୋଜନା ମୁତାବକ ହତ୍ୟାକାଣ୍ଡ ବୋଲି ମୃତ ଯୁବକଙ୍କ ପିତା ପ୍ରତାପ ମହାଖୁଡ ଅଭିଯୋଗ କରିଛନ୍ତି।
ବଣ୍ଟି ଶେରଗଡ଼ ଗ୍ରାମର ଜଣେ ଶିକ୍ଷକଙ୍କ ଝିଅଙ୍କୁ ପ୍ରେମ କରୁଥିଲେ। ଏଥିଯୋଗୁ ଶିକ୍ଷକ ଓ ତାଙ୍କ ପୁଅ ଯୋଜନା ମୁତାବକ ବଣ୍ଟିଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଶିକ୍ଷକ ଏବଂ ତାଙ୍କ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ପ୍ରାଥମିକ ଭାବେ ଏକ ଦୁର୍ଘଟଣା ମାମଲା(ନଂ.୧୭୨/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ତଦନ୍ତକାରୀ ପୋଲିସ ଏସ୍ଆଇ ଶ୍ରୀରାଜ ପାଢ଼ୀ ପ୍ରକାଶ କରିଛନ୍ତି।