କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୈଦ୍ୟନାଥପୁର ଥାନା ଆଙ୍କୁଲି କୁମ୍ଭାରପଲ୍ଲୀର ସୁନୀଲ କୁମାର ନାହାକ(୩୧)। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ସୁନୀଲ ତାଙ୍କର କେତେଜଣ ସାଙ୍ଗଙ୍କ ସହ ପ୍ରତିଦିନ ଭଳି ଶୁକ୍ରବାର ସକାଳେ ଖଲ୍ଲିକୋଟ କଲେଜ ପଡିଆକୁ କ୍ରିକେଟ ଖେଳିବାକୁ ଆସିଥିଲେ। ସେ ବ୍ୟାଟିଂ କରିବା ମଝିରେ ହଠାତ ସେ ପାଣି ପିଇବାକୁ ମାଗିଥିଲେ। ପାଣି ଅଣାଯିବା ପୂର୍ବରୁ ସେ ଅଚେତ ହୋଇଯାଇଥିଲେ। ଅନ୍ୟ ଖେଳାଳିମାନେ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୮/୨୪) ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ।