ଗାଧୋଇବାବେଳେ ଅଘଟଣ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୨।୪(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ନଦୀରେ ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ନିକଟରେ ମୋବାଇଲ ଯନ୍ତ୍ରାଂଶ ବିକ୍ରୟ କରୁଥିବା ରଘୁନାଥ ପୃଷ୍ଟିଙ୍କ ପୁଅ ଆଶିଷ ପୃଷ୍ଟି।

ସୂଚନାଯୋଗ୍ୟ, ଆଶିଷ ବୁଧବାର ନିଜର ୫ ଜଣ ସାଙ୍ଗମାନଙ୍କ ସହିତ ଆନନ୍ଦପୁରର ବୈତରଣୀ ନଦୀଘାଟକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଦୁଇ ସାଙ୍ଗ ହାତ ଧରାଧରି ଗାଧୋଇବା ସମୟରେ ନଦୀର ଗଭୀର ଜଳରେ ଫସିଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଲୋକଙ୍କ ପ୍ରୟାସରେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଆଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଘସିପୁରା ଯୁବ ବିଜେଡି ନେତା ଦେବାଶିଷ ପାତ୍ର ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।