
ଖଲ୍ଲିକୋଟ,୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି (୨୮) ମଙ୍ଗଳବାର ଅପରାହ୍ନରେ ଗ୍ରାମର ମଶାଣି ବନ୍ଧକୁ ଗାଧୋଇବାକୁ ଯାଇଥିବା କିଛି ଲୋକ ଦେଖିଥିଲେ। ତେବେ ଦୀର୍ଘ ସମୟ ଧରି ନ ଫେରିବାରୁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ସେମାନେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖଲ୍ଲିକୋଟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ପୋଖରୀ ଭିତରେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା। ଏହି ସମୟରେ ସେଠାରେ ଖଲ୍ଲିକୋଟ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଖରୀର ପାହାଚ ଉପରେ ସିଲୁର ପ୍ୟାଣ୍ଟ, ଶର୍ଟ, ଚପଲ, ମୋବାଇଲ, ବ୍ଲୁ ଟୁଥ୍ ପ୍ରଭୃତି ରଖାଯାଇଥିବା ଦେଖିବାକୁ ମିଳିଥିଲା। ସିଲୁ କୁଆଡ଼େ ଗଲେ ବୋଲି ପରିବାର ଚିନ୍ତାରେ ଥିଲେ। ତେବେ ଆଜି ସକାଳୁ ଗ୍ରାମର କିଛି ଲୋକ ଗାଧୋଇବାକୁ ଯିବାବେଳେ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। କିଛି ଯୁବକ ମୃତଦେହକୁ ଟାଣି ଟାଣି କୂଳକୁ ଆଣିଥିଲେ। ଉକ୍ତ ମୃତଦେହଟି ନିଖୋଜ ଥିବା ସିଲୁଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିବା ପରେ ପୋଲିସ ମୃତଦେହ ଜବତ କରି ଖଲ୍ଲିକୋଟ ମେଡିକାଲକୁ ଆଣିଥିଲେ। ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।