କୋକସରା,୯।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ସେଲ୍ଫି ନେବାବେଳେ ଜଳପ୍ରପାତରେ ପଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା(୨୧)।
ମିଳିଥିବା ସୂଚନା ମୁତାବକ, ଅଭିନାଶ ନିଜର ଜଣେ ସାଙ୍ଗ ଦିଲେଶ୍ୱର ଭତରାଙ୍କ ସହ ଏକ ବାଇକରେ ଡୋକାରିଚଞ୍ଚରା ବୁଲିବାକୁ ଆସିଥିଲେ। ଡୋକରି ଜଳପ୍ରପାତର ୬୦ ଫୁଟ ଉପରୁ ମୋବାଇଲରେ ସେଲ୍ଫି ଉଠାଉ ଥିବା ବେଳେ ଅସାବଧାନତା କାରଣରୁ ଶିଉଳିରେ ଗୋଡ଼ ଖସି ଡୋକରୀଦର ଜଳପ୍ରପାତର ଗଭୀର ପାଣି ପଡି ନିଖୋଜ ହୋଇଯାଇଥିଲେ। ଦୀର୍ଘ ସମୟ ଧରି ସାଙ୍ଗମାନେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ କୌଣସି ପତ୍ତା ପାଇ ନ ଥିଲେ।
ଖବର ପାଇ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ଅଧିକାରୀ ଓ ସ୍ଥାନୀୟ ପୋଲିସକୁ ଜଣାଇ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ କହିଥିଲେ। କୋକସରା ଦମକଳ କର୍ମଚାରୀ ଏବଂ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ହେଲେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଖବର ପାଇ ନିଖୋଜ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଆସୁଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଜଳପ୍ରପାତରେ ସେଲ୍ଫି ନେବା ସମୟରେ ୨ଜଣ ଯୁବକ ବୁଡି ନିଖୋଜ ହେବାର ଦୀର୍ଘ ସମୟ ପରେ ମୃତଦେହ ଠାବ ହୋଇଥିଲା।
ଅନ୍ୟପକ୍ଷେ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଦାୟିତ୍ୱରେ ଥିବା ଉନ୍ନୟନ କମିଟି ଏବଂ ବନ ବିଭାଗ ପକ୍ଷରୁ ଜଳପ୍ରପାତ ନିକଟକୁ ନ ଯିବା ପାଇଁ କୌଣସି ସତର୍କତା କିମ୍ବା ସୁରକ୍ଷା ସୂଚନା ନେଇ ପର୍ଯ୍ୟଟକଙ୍କୁ ସଚେତନ କରା ଯାଉନାହିଁ। ଫଳରେ ବିଭିନ୍ନ ସମୟରେ ଏଭଳି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ରବିବାର ସା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଦମକଳ ଓଆଇସି ପ୍ରଶାନ୍ତ ବାଘ ସୂଚନା ଦେଇଛନ୍ତି।