ମାନବିକତା ଦେଖାଇଲେ ଯୁବ ଗୋଷ୍ଠୀ

ଦେବଗଡ଼,୨୪।୯(ଡି.ଏନ୍‌.ଏ.): ଦେବଗଡ଼ ସହରାଞ୍ଚଳରେ ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ ଯୁବ ଗୋଷ୍ଠୀ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ରୀତିନୀତିରେ ସ୍ମଶାନରେ କଲେ ଶବ ସତ୍କାର। ଖଇ କଉଡ଼ି ଠୁ ଯାବତୀୟ ସରଞ୍ଜାମ ସ୍ବତଃପ୍ରବୃତ ଯୋଗାଇ ଦେଲେ ମୁଖ୍ୟ ବଜାର ଛକର ବ୍ୟବସାୟୀ ବୃନ୍ଦ। ଅନେକ ସ୍ଥାନରେ ମୃତଦେହ ସତ୍କାର ପାଇଁ ନିଜ ପରିବାର ପରିଜନ ମଧ୍ୟ ପଛଘୁଞ୍ଚା ଦେଉଥିବାବେଳେ ଏହି ଦୃଶ୍ୟ ପୁଣି ଥରେ ପ୍ରମାଣିତ କରିଛି ଆଜି ମଧ୍ୟ ଅନେକ ନିସ୍ବାର୍ଥ ବ୍ୟକ୍ତି ବିଶେଷଙ୍କ ଯୋଗୁ ସମାଜରେ ବଞ୍ଚିଛି ମାନବିକତା। ଗତ ବୁଧବାର ରାତିରେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସିନ୍ଦା କୁତାର୍ଥ ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁତାର୍ଥ ସହରର ମୁଖ୍ୟ ବଜାରରେ ଥିବା ପ୍ରାୟ ଅନେକ ଦୋକାନୀଙ୍କ ପାଇଁ ଜଳଯୋଗାଣ ଭଳି କାର୍ଯ୍ୟ କରୁଥିବାବେଳେ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ବୃକ୍ଷ ରୋପଣ କରି ଜନସାଧାରଣଙ୍କ ମଧ୍ୟରେ ପରିଚିତ ହୋଇଥିଲେ। ବୃକ୍ଷ ରୋପଣର ନିଶା କୁତାର୍ଥଙ୍କୁ ଅନ୍ୟ ଏକ ପରିଚୟ ଦେଇଥିଲା। ତେବେ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ମୁଖ୍ୟ ବଜାର ଛକରେ ଥିବା ଅନେକ ବ୍ୟବସାୟୀ କୃତାର୍ଥଙ୍କ ମୃତଦେହକୁ ସମ୍ମାନସହ ସତ୍କାର ପାଇଁ ପ୍ରସ୍ତୁତି କରି ଶୁକ୍ରବାର ମଧ୍ୟାହ୍ନରେ ବୁର୍ଲା ଡାକ୍ତରଖାନାରୁ ଏକ ଗାଡ଼ିରେ ମୃତଦେହକୁ ଦେବଗଡ଼ ଆଣିଥିଲେ। ପରେ ବଜାର ଛକରୁ ପ୍ରଧାନପାଟସ୍ଥିତ ସ୍ବର୍ଗ ଦ୍ୱାରକୁ ନେଇ ଅନ୍ତେଷ୍ଟିକ୍ରିୟା କରିଥିଲେ।