ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗଙ୍କର ଆଗକୁ ବଢ଼ିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥାଏ। ୨୦୦୦ ମସିହାରେ ଜାତିସଂଘ ପକ୍ଷରୁ ଯୁବ ଶିକ୍ଷା, ଗୋଷ୍ଠୀ ଉନ୍ନୟନ, ପରିବେଶୀୟ ଗ୍ରୁପ୍ ଗଠନ, ବିଭିନ୍ନ ସାମାଜିକ ପ୍ରକଳ୍ପରେ ସ୍ବେଚ୍ଛାସେବୀ ଭାବରେ ଯୁବବର୍ଗଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ଆରମ୍ଭ ହୋଇଥିଲା।
ମହାମାରୀ ପରେ ଏବେ ପୃଥିବୀର ଅର୍ଥ ବ୍ୟବସ୍ଥା ସୁଧୁରିବା ଆରମ୍ଭ କରିଛି। ଏପରିସ୍ଥଳେ ଯୁବବର୍ଗଙ୍କ କାନ୍ଧରେ ବଡ଼ ଦାୟିତ୍ୱ ପଡ଼ିଛି। ତେବେ ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ରହିଥିବା ବାଧା ସମ୍ପର୍କରେ ଜାତିସଂଘ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ୬ରୁ ୧୩ ବର୍ଷ ବୟସର ୫୦ ପ୍ରତିଶତ ପିଲାଙ୍କ ମଧ୍ୟରେ ସେମାନଙ୍କ କଥିତ ଭାଷା କିମ୍ବା ଅନ୍ୟ କୌଣସି ଭାଷା ପଢ଼ିବା ସମସ୍ୟା ବଢ଼ିବାରେ ଲାଗିଛି। ପୃଥିବୀର ବହୁ ପିଲାଙ୍କ ମଧ୍ୟରେ ଗଣିତ ଜ୍ଞାନର ଅଭାବ ଏବଂ ପିଲାଦିନର ଦାରିଦ୍ର୍ୟ ଯୋଗୁ ଦକ୍ଷତା ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଥିବା ଯୁବବର୍ଗ କେତେକ ସମୟରେ ଏସବୁକୁ ସ୍ବୀକାର ନ କରି ପଳାୟନପନ୍ଥୀ ହୋଇଥାନ୍ତି। ମାତ୍ର ଅନ୍ତର୍ଜାତୀୟ ଯୁବ ଦିବସ ଯୁବବର୍ଗଙ୍କୁ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକୁ ଗ୍ରହଣ କରି ଏହାର ସଫଳ ସମାଧାନର ପଥ ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥାଏ।
ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ବତନ୍ତ୍ର ବାର୍ତ୍ତା ଜାରି କରାଯାଇଥାଏ। ଚଳିତ ବର୍ଷ ୨୦୨୩ ପାଇଁ ଏହି ଦିବସ ଲାଗି ବାର୍ତ୍ତା ରହିଛି, ଗ୍ରୀନ ସ୍କିଲ ଫର ୟୁଥ୍: ଟୁଓ୍ବାର୍ଡସ ଏ ସସ୍ଷ୍ଟେନବ୍ଲ ଓ୍ବାଲର୍ଡ(ଯୁବକମାନଙ୍କ ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘ ସ୍ଥାୟୀ ବିଶ୍ୱ ଆଡକୁ ପାଦେ)।