ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିଲେ ଯୁବକ: ୨ ବର୍ଷ ପରେ ଗିରଫ କଲା ପୋଲିସ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ରବିବାର ରିତୁ ଦାସ ନାମକ ଜଣେ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ପ୍ରାୟ ୨ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।

ଦିଗପହଣ୍ଡି ଥାନା ମାମଲା ନଂ.୪୨୫/୨୨ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୨ ଡିସେମ୍ବର ୭ ତାରିଖରେ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ଫେରାର ହୋଇଯାଇଥିବା ସମ୍ପର୍କରେ ଦିଗପହଣ୍ଡି ଥାନାରେ ଏତଲା ହୋଇଥିଲା। ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପୋଲିସ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ କିମ୍ବା ନାବାଳିକାଙ୍କ ସନ୍ଧାନ ମିଳିପାରିନଥିଲା।

ଉଭୟେ ଫେରାର ହୋଇଯାଇ କୋରାପୁଟରେ ସ୍ବାମୀ ସ୍ତ୍ରୀ ଭଳି ଚଳି ଆସୁଥିଲେ। ସେମାନଙ୍କ ଔରସରୁ ୪ ମାସର କନ୍ୟା ସନ୍ତାନଟିଏ ଅଛି। ଉଭୟେ କୋରାପୁଟରୁ ଆସି ଦିଗପହଣ୍ଡିରେ ରହୁଥିଲେ। ରବିବାର ସକାଳେ ତଦନ୍ତକାରୀ ଅଧିକାରୀ ସଦଳବଳେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Share