ଫାଇନାନ୍ସ ଟଙ୍କା କିସ୍ତି ନ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର, ୧୪ା୮ (ପବନ ପାଣିଗ୍ରାହୀ): ଫାଇନାନ୍ସ ଟଙ୍କା କିସ୍ତି ନ ଦେବାରୁ କୋରାପୁଟ ଜିଲା ଜୟପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଅତ୍ୟୁ ହୋଇଛି। ଏହା ସାଧାରଣରେ ଆଲୋଡନ ଖେଳାଇ ଦେଇଛି। ମୃତକ ଯୁବକ ଜଣକ ହେଲେ ଜୟପୁର ଭେଟନାରି କଲୋନୀର ବିପିନ ବାହାଦୁର (୪୨)। ଖବରପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ଖବରରୁ ଜଣାପଡିଛି, ଭେଟନେରି କଲୋନୀର ବିପିନ ଏକ ଆଲ୍‌ଟୋ କାର ଫାଇନାନ୍ସରେ ଆଣିଥିଲେ। ଟାଟା ଫାଇନାନ୍ସରୁ ଆଣିଥିବା କାର ବାବଦ ୨ଟି କିସ୍ତି କୌଣସି କାରଣବଶତଃ ବିପିନ ଦେଇ ନ ଥିଲେ। ଏନେଇ ତାଙ୍କର କମ୍ପାନୀ ଏଜେଣ୍ଟ ପ୍ରତ୍ୟୁଷ ଦାସଙ୍କ ସହ ନିକଟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପ୍ରତ୍ୟୁଷ ଗତ ୧୨ ତାରିଖରେ ଡ୍ୟୁଟିରେ ଯାଉଥିବା ବିପିନଙ୍କୁ ପାଓ୍ବାର ହାଉସ ନିକଟସ୍ଥ ମହାଦେବ ଷ୍ଟକୟାର୍ଡଠାରେ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ବିପିନ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଜୟପୁର ଜିଲା ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିପିନଙ୍କ ମୃତ୍ୟୁ ହୋଇଛି ା ବିପିନଙ୍କ ଭାଇ ଯକ୍ଷ ବାହୁଦୁର ଟାଉନ ଥାାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଶାଖାପାଟଣାରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଘଟଣା ପରଠାରୁ ଅଭିଯୁକ୍ତ ପ୍ରତ୍ୟୁଷ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ୩ଟି ଟିମ ଗଠନ କରିଛି। ଏହି ଟିମ୍‌ ବୈପାରିଗୁଡା ଓ ନବରଙ୍ଗପୁର ଅଞ୍ଚଳରେ ଛାନଭିନ୍‌ ଚଳାଇଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି।