ଭାରତରେ ୧୧ ମେ’ରେ ପାଳନ କରାଯାଉଥିବା ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ଆମ ଦେଶରେ ବୈଷୟିକ ଜ୍ଞାନକୌଶଳ, ଅନୁସନ୍ଧାନକାରୀ ଏବଂ ଇଞ୍ଜିନିୟରମାନଙ୍କ ସଫଳତାକୁ ସ୍ମରଣ କରିଥାଏ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ରେ ପୋଖରାନ୍ ଆଣବିକ ପରୀକ୍ଷଣକୁ ସ୍ମରଣୀୟ କରିବା ପାଇଁ ଏହି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ଶୁଭାରମ୍ଭ କରିଥିଲେ।
ବୈଷୟିକ ପ୍ରଗତିର ଅବଦାନ ଯୋଗୁ ଭାରତ ବିସ୍ଫୋରକ ଅଭିବୃଦ୍ଧିର ସାକ୍ଷୀ ହୋଇଛି। ଅଭିବୃଦ୍ଧିର ଅଭିଯାନକୁ ସ୍ମରଣ କରି ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଉଦ୍ୟମକୁ ସ୍ବୀକାର କରିବା ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ହେଉଛି ଏକ ଉପଯୁକ୍ତ ଅବସର।
୧୧ ମେ’ ୧୯୯୯ରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ସଫଳତାକୁ ଆଲୋକିତ କରିବା ପାଇଁ ପ୍ରଥମେ ଭାରତରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥିଲା। ପ୍ରଯୁକ୍ତି ବିକାଶ ପରିଷଦ ପକ୍ଷରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପସ୍ଥିତିରେ ପ୍ରଥମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆୟୋଜନ କରାଯାଇଥିଲା।
ଏହି ଦିନ ବୋମାଗୁଡ଼ିକର ଶକ୍ତି ନିର୍ଣ୍ଣୟ କରିବା ପାଇଁ ମେ’ ୧୯୯୮ରେ ରାଜସ୍ଥାନର ପୋଖରାନ୍ରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ପାଞ୍ଚଟି ଆଣବିକ ପରୀକ୍ଷଣକୁ ମଧ୍ୟ ସ୍ମରଣ କରାଯାଇଥାଏ।
ମେ’ ୧୯୭୪ରେ ପ୍ରଥମ ଆଣବିକ ପରୀକ୍ଷଣ ସ୍ମାଇଲିଂ ବୁଦ୍ଧ ପରେ ଭାରତର ଦ୍ୱିତୀୟ ପରମାଣୁ ପରୀକ୍ଷଣ ପୋଖରାନ୍ରେ କରାଯାଇଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ, ଯିଏକି ମିଜାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବରେ ଜଣାଶୁଣା। ସେ ପୋଖରାନ୍ ଟେଷ୍ଟର ନେତୃତ୍ୱ ନେଇଥିଲେ।ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଦେଶର ଅଭିବୃଦ୍ଧି କରିଥାନ୍ତି। ସେମାନଙ୍କୁ ସମ୍ମାନିତ କରିବା ପାଇଁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥାଏ। ପୋଖରାନ୍ ଆଣବିକ ପରୀକ୍ଷଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ଘୋଷଣା କରିଥିଲେ ଆଣବିକ କ୍ଲବରେ ଭାରତୀୟମାନେ ଯୋଗଦେଇଛନ୍ତି। ପ୍ରତିବର୍ଷ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଏକ ନୂତନ ଥିମ୍ ଘୋଷଣା କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ୍ ହେଉଛି ସ୍କୁଲ୍ରୁ ଷ୍ଟାର୍ଟଅପ୍ ନବସୃଜନ ପାଇଁ ଯୁବ ମାନସିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ(ସ୍କୁଲ ଟୁ ଷ୍ଟାର୍ଟ ଅପ୍ସ- ଇଗ୍ନାଇଟ୍ ୟଙ୍ଗ ମାଇଣ୍ଡ୍ସ ଟୁ ଇନୋଭେଟ)।