ଯୁବକଙ୍କୁ ହତ୍ୟା ମାମଲା: ତିନି ଭାଇଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୨୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ପୁଞ୍ଜିଭୂତ ଅଶାନ୍ତରୁ ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)-୧ ଡା. ଇନ୍ଦୁ ଶର୍ମା ଗୁରୁବାର ଉକ୍ତ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଓ କେମିକାଲ ରିପୋର୍ଟକୁ ଆଧାର କରି ତିନି ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ସ୍ବର୍ଗତ ପ୍ରକାଶ ପ୍ରଧାନଙ୍କ ତିନି ପୁଅ ବୁଡୁ ପ୍ରଧାନ(୩୫), ସନ୍ତୋଷ ପ୍ରଧାନ (୩୨) ଓ ମିଥୁନ ପ୍ରଧାନ (୩୦)। ଏଡିଜେ ଉକ୍ତ ତିନି ଅଭିଯୁକ୍ତଙ୍କୁ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଏକ ବର୍ଷ ଲେଖାଏ ଜେଲ ଦଣ୍ଡ ପାଇଁ ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ ମାମଲା ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି।

ଉକ୍ତ ଗ୍ରାମର କୁଲୁ ପ୍ରଧାନ ଓ ବୁଡୁ ପ୍ରଧାନ କକା ପୁଅ ଭାଇ ଅଟନ୍ତି। ସେମାନଙ୍କ ମଧ୍ୟରେ ଜମି ଭାଗ ବଣ୍ଟା ଓ ଅନ୍ୟାନ୍ୟ ଘରୋଇ ସମ୍ପତିଙ୍କୁ କେନ୍ଦ୍ରକରି ଘରୋଇ ବିବାଦ ଲାଗିରହିଥିଲା। ୨୦୨୩ ଜୁଲାଇ ୨୮ ତାରିଖ ରାତ୍ର ଉକ୍ତ ତିନି ଅଭିଯୁକ୍ତ କୁଲୁ ପ୍ରଧାନ ଘର ପାଖକୁ ଯାଇ ତାଙ୍କ ସହ ଝଗଡା କରିଥିଲେ। ପରେ ତାଙ୍କୁ ଟାଙ୍ଗିଆ ଓ ଶାବଳରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ଏନେଇ ମୃତକଙ୍କ ଭାଇ ସନ୍ତୋଷ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪୭୩/୨୩ରେ ପୋଲିସ ଉକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ୧ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ସାକ୍ଷୀ ମାନଙ୍କ ବୟାନକୁ ଆଧାର କରି ଏଡିଜେ ଗୁରୁବାର ଉକ୍ତ ରାୟ ପ୍ରକାଶ କରିଛନ୍ତି।

Share