ଭୁବନେଶ୍ୱର,୧୧ା୪: ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବାବେଳେ, ‘ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ’ ପକ୍ଷରୁ ପରିବେଶକୁ ନେଇ ସଚେତନତା ସୃଷ୍ଟି କରାଯାଉଛି।
ଯୁବ ପରିବେଶବିତ୍ ଜଳେନ୍ଦ୍ର ମହାଳିକ ପରିବେଶ ସମ୍ପର୍କିତ ନିଜର ଯାତ୍ରା ସମ୍ପର୍କରେ କହିବା ସହିତ ‘ଧରିତ୍ରୀ’ର ଏହି ପ୍ରୟାସ ସେମାନଙ୍କୁ କିପରି ଆଗକୁ ବଢିବାର ପ୍ରେରଣା ଯୋଗାଇଛି ସେନେଇ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୁବପିଢ଼ିଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଛାତ୍ର ହୁଅନ୍ତୁ କି ଯୁବପିଢ଼ି ଯଦି ନିଜ ଖାଇବା, ପିଇବା, ପିନ୍ଧିବା ଏବଂ ବ୍ୟବହାର କରୁଥିବା ଯନ୍ତ୍ରପାତି ଉପରେ ବ୍ୟକ୍ତିଗତ ଭାବରେ ନିୟନ୍ତ୍ରଣ କରିବେ ତେବେ ନିଜକୁ ଜଣେ ପରିବେଶ ଯୋଧ୍ୟା ଭାବେ ଗଢ଼ି ତୋଳିବେ ବୋଲି କହି ଆହ୍ବାନ ଦେଇଛନ୍ତି ଜଳେନ୍ଦ୍ର। ଯୁବପିଢ଼ି ପରିବେଶକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେ ଧରିତ୍ରୀ ପକ୍ଷରୁ ପୁରସ୍କାର ପାଇସାରିବା ପରେ ଉପକୂଳ ଜିଲାଗୁଡ଼ିକରେ ପରିବେଶ ସମ୍ପର୍କିତ କାର୍ଯ୍ୟ କରୁଥିଲେ। ପ୍ରାୟ ୫୦୦ରୁ ୬୦୦ ସଂଗଠନ ସହିତ ଯୋଡ଼ି ହୋଇ କାର୍ଯ୍ୟ କରିଥିବା କହିଛନ୍ତି। ଏନେଇ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ତାଙ୍କୁ ଯେତିକି ସହଯୋଗ କରିବା କଥା ତା’ଠାରୁ ଅଧିକ ସହଯୋଗ କରିଥିବା କହି ଖୁସି ବ୍ୟକ୍ତ କରିଛନ୍ତି।


