ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଯୁବ ସଙ୍ଗଠକ

କେସିଙ୍ଗା,୧୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହ ବଲାଙ୍ଗୀର ଜିଲା ଟିଟଲାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ସହରଠାରୁ ପ୍ରାୟ ୫୦୦ ମିଟର ଦୂର ଏକ କଲଭର୍ଟ ଉପରେ ଗତ ଏକ ବର୍ଷ ହେଲା ସିମେଣ୍ଟ ଫାଟି ଲୁହା ରଡ଼ ଦେଖା ଯାଇ ପ୍ରାୟ ଏକ ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ବାଇକ୍‌ ସାଇକେଲ କିମ୍ବାଚାରି ଚାକିଆ ଗାଡ଼ିରେ ଯିବାଆସିବା ବେଳେ ରାତ୍ରିରେ ହେଉକି ଦିନ ପଡି ଯାଉଛନ୍ତି। ଏହି ଗର୍ତ୍ତ ମରାମତି ପାଇଁ ଟିଟିଲାଗଡ଼ ଆରଡ଼ି ବିଭାଗକୁ ବହୁ ବାର କୁହାଯାଇଛି। କିନ୍ତୁ ଆଜି ଯାଏ କୌଣସି ମରାମତି କରାଯାଇ ନ ଥିଲା। ଜିଲା ସୀମା ବିବାଦରେ ଅଟକି ରହି ଯାଇଛି। କଳାହାଣ୍ଡି ଆର୍‌ଡି ବିଭାଗ କହୁଛି ତାହା ବଲାଙ୍ଗୀର ଜିଲା ଆର୍‌ଡି ବିଭାଗ କାମ। ଫଳରେ ଦିନକୁ ଦିନ କଲ୍‌ଭର୍ଟରେ ଏକ ଗର୍ତ୍ତ ସୃଷ୍ଟି ହୋଇ ଲୁହା ଛଡ଼ ଉପର ମୂହା ହୋଇ ଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ହେଉଛି। ବିଭାଗୀୟ ଅବହେଳା ଓ ଦୈନନ୍ଦିନ ଦୁର୍ଘଟଣା ଦେଖି କେସିଙ୍ଗା ଯୁବ ସଙ୍ଗଠକ ସୁରେଶ ରାଓ ନିଜ ଖର୍ଚ୍ଚ ରେ ସିମେଣ୍ଟ, ବାଲି, ଚିପସ କିଣି ମିସ୍ତ୍ରୀ, ଶ୍ରମିକ ନେଇ ନେଇ ରାସ୍ତା ମରାମତି କରାଇଥିଲେ। ଏ ସଂକ୍ରାନ୍ତରେ ଟିଟିଲାଗଡ଼ ଆରଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ବର୍ତ୍ତମାନ ପିଡବ୍ଲୁଡ଼ିକୁ କେସିଙ୍ଗା ଜାତୀୟ ରାଜପଥ ୨୬ଠାରୁ ଟିଟିଲାଗଡର ଦେଶୀଳ ଗ୍ରାମ ୭ କିମି ଯାଏ ହସ୍ତାନ୍ତର କରାଯାଇଛି ଏବଂ ଟେଣ୍ଡର ମଧ୍ୟ ହୋଇଛ। ଅଳ୍ପ ଦିନରେ କାମ ଆରମ୍ଭ ହେବ ବୋଲି କହିଥିଲେ। ଏ ନେଇ ଯୁବ ସଙ୍ଗଠକ ସୁରେଶ ରାଓଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀମାନେ ଏସି କୋଠରିରେ ବସି ନିଜ ଦାୟିତ୍ୱ ଭୁଲି ଯାଉଛନ୍ତି। ଅସୁବିଧା ଭୋଗୁଛନ୍ତି ନିରୀହ ଜନସାଧାରଣ। ଏମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ହେଉଥିବାରୁ ଦୁର୍ଘଟଣା ରୋକିବା ପାଇଁ ଏହା ମୋର ଏକ ଛୋଟ ପ୍ରୟାସ ବୋଲି ସେ କହିଛନ୍ତି। ଏହି କାମକୁ ସମସ୍ତ ଜନସାଧାରଣ ଯୁବ ସଙ୍ଗଠକକୁ ପ୍ରଶଂସା କରିଛନ୍ତି।

Share