Categories: ଜାତୀୟ

୧୭ ଲକ୍ଷ ଟଙ୍କା ଦେଇ ବିବାହ କରିଥିଲେ ଯୁବକ, ୧୫ ଦିନ ପରେ ନବବଧୂ ଫେରାର

ଜୟପୁର,୩ା୨: ରାଜସ୍ଥାନର ଜାଲୋର ଜିଲା ବାଗୋଡ଼ା ଥାନା ଅଞ୍ଚଳରେ ଏକ ବିବାହ ପ୍ରତାରଣା ପାଲଟିଥିବା ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ୧୭ ଲକ୍ଷ ଟଙ୍କା ଦେଇ ୨୩ ବର୍ଷୀୟା ଜଣେ ଯୁବତୀଙ୍କୁ ବିବାହ କରି ଘରକୁ ଆଣିଥିଲେ। ୧୫ ଦିନ ପରେ ଏହି କନ୍ୟା ଫେରାର ହୋଇଯାଇଛନ୍ତି। ଏହି ବିବାହ କରାଇଥିବା ଦଲାଲକୁ ପୋଲିସ ଗିରଫ କରିଛି।

ବାଗୋଡ଼ା ଥାନା ଅନ୍ତର୍ଗତ ଜୁନିବାଲି ନିବାସୀ ହରି ସିଂହ ରିପୋର୍ଟ କରିଛନ୍ତି ଯେ, ଫେବୃୟାରୀ ୨୦୨୧ରେ ତାଙ୍କର ବିବାହ ହୋଇଥିଲା। ବିବାହ ସମୟରେ ଏକ ଦଲାଲ ତାଙ୍କଠାରୁ ୧୭ ଲକ୍ଷ ଟଙ୍କା ନେଇଥିଲେ। ବିବାହର ୧୫ ଦିନ ପରେ କନ୍ୟା କେଉଁଆଡ଼େ ଫେରାର ହୋଇଗଲେ। ବର୍ତ୍ତମାନ ସୁଦ୍ଧା ସେ ଫେରିନାହାନ୍ତି।

ଏନେଇ ତଦନ୍ତ କରାଯିବାରୁ ଜଣାପଡ଼ିଲା ଯେ, ଏହି ବିବାହ ମିଛମିଛିକା ଥିଲା। ତାଙ୍କ ସହିତ ପ୍ରତାରଣା କରାଯାଇଛି ବୋଲି ହରି ଜାଣିବାକୁ ପାଇଲେ। ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଜଲୋର ଏସ୍‌ପି ହର୍ଷବର୍ଦ୍ଧନ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, ଥାନାଧିକାରୀ ଶତ୍ରୁ ସିଂହଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ଦଲାଲ ଇନ୍ଦୁ ଭାଇଙ୍କୁ ଗିରଫ କରିଛି।

Share