ମୁଜାଫ୍ଫରନଗର,୩୧।୭: ଉତ୍ତରପ୍ରଦେଶର ମୁଜାଫ୍ଫରନଗରର ତିନାବୀ ଥାନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଛାତିରେ ଗୁଳି ବାଜିଥିବା ଜଣେ ଯୁବକ ଥାନାରେ ପହଞ୍ଚିଯିବାରୁ ପୋଲିସ କର୍ମଚାରୀ ଚକିତ ହୋଇଯାଇଥିଲେ। ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏଭଳି କାଣ୍ଡ ପଛରେ ଥିବା ଅପରାଧିଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।
ଉକ୍ତ ଥାନା ଅନ୍ତର୍ଗତ ହାଇଦରନଗର ମାର୍ଗରେ ମୋନୁ ଜଗିଂ କରୁଥିଲେ। ଏହି ସମୟରେ ବାଇକରେ ଆସୁଥିବା କିଛି ଯୁବକ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଆହତ ହେବା ସତ୍ତ୍ୱେ ମୋନୁ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ।
ହଠାତ ଯୁବକଙ୍କୁ ଏଭଳି ଅବସ୍ଥାରେ ଦେଖି କର୍ମଚାରୀ ଚମକି ପଡ଼ିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଯୁବକଜଣଙ୍କର କିଛି ଦିନ ପୂର୍ବେ ଝଗଡ଼ା ହୋଇଥିଲା। ଏଥିପାଇଁ ତାଙ୍କୁ ଗୁଳି କରାଯାଇଥିବା ସେ କହିଛନ୍ତି।