ରାଜଧାନୀରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ସ୍କୁଟି ଆଗକୁ ଡେଇଁ ମାଡ଼ ମାରିଲେ, ତଣ୍ଟି ଚିପିଦେଲେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜଧାନୀରେ ସୋମବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣକ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରିବା ସହ ପୋଲିସ ଶିବିରକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ତେବେ ପୋଲିସ ତାଙ୍କ କବଳରୁ ଜଣେ ଯୁବତୀଙ୍କୁ ବଞ୍ଚାଇବା ସହ ଦୀର୍ଘସମୟ ପରେ ତାଙ୍କୁ କାବୁ କରିଛି। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଲୋକଙ୍କ ମାଡ଼ରେ ଯୁବକ ଜଣକ ମଧ୍ୟ ଲହୁଲୁହାଣ ହୋଇଛନ୍ତି। ଅସଦାଚରଣର ଶିକାର ଯୁବତୀ ଜଣକ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଯୁବକ ଜଣକ ଲୋୟର ପିଏମ୍‌ଜି ରାସ୍ତାରେ ଠିଆ ହୋଇ ଗାଡ଼ିରେ ଯାଉଥିବା ଲୋକଙ୍କୁ ଅଟକାଇ ହଇରାଣ କରୁଥିଲେ। ଏହି ସମୟରେ ଜଣେ ଯୁବତୀ ସ୍କୁଟିରେ ଯାଉଥିବାବେଳେ ଉକ୍ତ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ। ଯୁବକ ଜଣକ ହଠାତ୍‌ ତାଙ୍କ ଗାଡ଼ି ଆଗକୁ ଡେଇଁ ଆକ୍ରମଣ କରିବା ସହ ଚୁନିରେ ତାଙ୍କ ବେକକୁ ଚିପି ଧରିଥିଲେ। ଏହାଦେଖି ସେହିବାଟ ଦେଇ ଯାଉଥିବା ଲୋକେ ସେଠାରେ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ ଏମାନଙ୍କୁ ଦେଖି ଯୁବକ ଜଣକ ଆହୁରି ଭୟଙ୍କର ହୋଇଯାଇଥିଲେ। ଇତିମଧ୍ୟରେ ନିକଟ କ୍ୟାମ୍ପ୍‌ରେ କାର୍ଯ୍ୟରତ ପୋଲିସ ସେଠାରେ ପହଞ୍ଚତ୍ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ହେଲେ ଯୁବକଙ୍କୁ କାବୁ କରିବାକୁ ଯିବାବେଳେ ସେ ବାଡ଼ି ଧରି ପୋଲିସ ଓ ଲୋକଙ୍କୁ ଗୋଡ଼ାଇଥିଲେ। ବହୁ ସମୟ ଧରି ଛକାପଞ୍ଝା ପରେ ଶେଷରେ ତାଙ୍କୁ କାବୁ କରିବାକୁ ନାକେଦମ୍‌ ହେବାକୁ ପଡିଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଉତ୍ତମ ମଧ୍ୟମ ଦେଇ ରାଗ ଶୁଝାଇଥିଲେ। ପୋଲିସ ଲୋକଙ୍କ କବଳରୁ ତାଙ୍କୁ ଉଦ୍ଧାର କରି କ୍ୟାମ୍ପ୍‌କୁ ନେଇଥିଲା। ହେଲେ ସେଠାରେ ଯୁବକ ଜଣକ ଉଲଗ୍ନ ହୋଇ ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ। ବହୁ କଷ୍ଟରେ ତାଙ୍କୁ କାବୁ କରି ପଚରାଉଚରାବେଳେ ସେ ମାନସିକ ବିକାରଗ୍ରସ୍ତ ଥିବା ଓ ଜଣେ ସରକାରୀ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଥିଲା। ପରେ ପୋଲିସ ତାଙ୍କୁ ପରିବାର ଜିମା ଦେଇଥିଲା।

Share