ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବେ ବିକାଶଶୀଳ ରାଷ୍ଟ୍ରର ମୁଖ୍ୟ ଅସ୍ତ୍ର । ଏଥିପାଇଁ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣରେ ଜଟିଳ କାର୍ଯ୍ୟକୁ ସରଳ ଓ ସୁବିଧାରେ କରିହେଉଛି ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିସ୍ତୃତ ସମ୍ଭାବନାକୁ ନେଇ ପ୍ରତିବର୍ଷ ଜୁଲାଇ ୧୫ ତାରିଖକୁ ବିଶ୍ୱ ଯୁବ ଦକ୍ଷତା ଦିବସ (ୱାର୍ଲଡ ୟୁଥ୍ ସ୍କିଲ୍ ଡେ) ଭାବେ ପାଳନ କରାଯାଉଛି ।
ଯୁବ ଉଦ୍ଭାବକଙ୍କୁ ଉତ୍ସାହିତ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ସେମାନଙ୍କ ସ୍ବପ୍ନକୁ ସଫଳ କରିବାରେ ସହଯୋଗର ଡେଣା ଯୋଗାଇଦେବା ଓ ଉଚ୍ଚ ଉଡ଼ାଣ ନିମନ୍ତେ ଉତ୍ସାହିତ କରିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେକୌଣସି ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏନେଇ ସେମାନଙ୍କର ଦକ୍ଷତା ବିକାଶର ଆବଶ୍ୟକତା ଜରୁରୀ।
ଜାତିସଂଘର ସାଧାରଣ ସଭା (ୟୁଏନ୍ଜିଏ) ଯୁବଦକ୍ଷତା ବିକାଶରେ ବିନିଯୋଗର ଗୁରୁତ୍ୱକୁ ପ୍ରୋତ୍ସାହିିତ କରିବାକୁ ନଭେମ୍ବର ୨୦୧୪ରେ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ବିଶ୍ୱ ଯୁବ ଦକ୍ଷତା ଦିବସ ହେଉଛି ଯୁବବର୍ଗମାନଙ୍କୁ ରୋଜଗାର କ୍ଷମତା, ଉଦ୍ୟୋଗିକତା ଏବଂ ଆତ୍ମନିଯୁକ୍ତି ପାଇଁ ଦକ୍ଷତା ଆଦି ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବାର ଏକ ଦିନ। ଯୁବପିଢ଼ିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ବିଷୟରେ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ଏହି ଦିନଟି ହେଉଛି ଉପଯୁକ୍ତ ସମୟ ।
ପ୍ରତିବର୍ଷ ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ ପାଳନ ଅବସରରେ ବହୁ ପ୍ରତିଷ୍ଠିତ ବିଶ୍ୱ ସଙ୍ଗଠନ ଅଂଶଗ୍ରହଣ କରନ୍ତି। ଯୁବବର୍ଗଙ୍କ ପାଇଁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ଅଭାବର ବିଶ୍ୱସ୍ତରରେ ସୃଷ୍ଟି ହେଉଥିବା ଆହ୍ବାନକୁ ସମାଧାନ କରିବାକୁ ସରକାର, ନିଯୁକ୍ତିଦାତା, ଶିଳ୍ପ, ତାଲିମ ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଉତ୍ସାହିତ କରିବାକୁ ଏହି ଦିବସ ପାଳନ ଅବସରରେ ଲକ୍ଷ୍ୟ ରଖାଯାଇଥାଏ।
ୟୁନେସ୍କୋର ପୂର୍ବତନ ମହାନିର୍ଦ୍ଦେଶକ ଇରିନା ବୋକୋଭା ଏହାକୁ ବିପଦରେ ପକାଇବାର ଏକ ପ୍ରମୁଖ ସୁଯୋଗ ବୋଲି ବର୍ଣ୍ଣନାକରି ଯୁବବର୍ଗଙ୍କୁ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ଏବଂ ସମ୍ମାନର ଭାବନା କିପରି ଯୋଗାଇ ଦିଆଯିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ୧୫ ଜୁଲାଇ ୨୦୧୫ ରେ ପ୍ରଥମ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଇଥିଲା।
ବିଶ୍ୱ ଯୁବ ଦକ୍ଷତା ଦିବସ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ। ଚଳିତ ବର୍ଷ ୨୦୨୩ରେ ଏହି ଦିବସର ବିଷୟବସ୍ତୁ ହେଉଛି, ଏକ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ଶିକ୍ଷକ, ପ୍ରଶିକ୍ଷକ ଏବଂ ଯୁବବର୍ଗଙ୍କ ଦକ୍ଷତା ବିକାଶ (ସ୍କିଲିଂ ଟିଚର, ଟ୍ରେନର ଆଣ୍ଡ ୟୁଥ୍ ଫର୍ ଏ ଟ୍ରାନ୍ସଫର୍ମେଟିଭ୍ ଫ୍ୟୁଚର)।