ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗବଳାର ବିଳମ୍ବିତ ରାତିରେ ଛୋଟେଙ୍ଗର ଥାନା ଅଞ୍ଚଳର କାଲେପାଦ ଗ୍ରାମର ଗୁଡୁ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ ଓ ମୁଣ୍ଡକୁ ଆକ୍ରମଣ କରିବା ପରେ ସେ ଗୁରୁତର ହୋଇ ପଡିଥିଲେ। ପ୍ରବଳ ରକ୍ତସ୍ରାବ ହେବା ଦେଖି ମାଓବାଦୀମାନେ ଗୁଡୁଙ୍କୁ ମରିଯାଇଥିବା ଭାବି ନିକଟରେ ଥିବା ଜଙ୍ଗଲ କଡରେ ପକାଇ ଦେଇ ପଳାଇ ଯାଇଥିଲେ। ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଲଗାଇ ଚାଲିଯିବା ପରେ ଗ୍ରାମବାସୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଡିଆର୍ଜିର ଯବାନମାନେ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଥିବା ଗୁଡୁଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ଛୋଟେଙ୍ଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ନାରାୟଣପୁର ଜିଲା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଗୁଡୁଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ଏ ପରି ଆକ୍ରମଣ କରାଯାଇଥିବା ଜଣାପଡିଛି।