ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଯୁବକ

ବ୍ରହ୍ମପୁର ଅଫିସ,୨୫ା୮: ଜନୈକା ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗାନ୍ଧୀନଗରର ସିଏଚ୍‌. ନରେଶ(୨୨)। ପୋଲିସ ଏକ ମାମଲା (ନଂ.୨୩୨/୨୨) ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପୋଲିସ କହିଛି। ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ନରେଶ ଜଣେ ଛାତ୍ରୀଙ୍କୁ ଏକ ତରଫା ଭଲ ପାଇ ତାଙ୍କ ପିଛା କରୁଥିଲେ। ଗତ କିଛିମାସ ହେଲା ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ସେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଥିଲେ। ଛାତ୍ରୀ ଜଣଙ୍କ କିଛିଦିନ ତଳେ ସ୍କୁଲ ଯାଉଥିବା ବେଳେ ନରେଶ ତାଙ୍କୁ ଅସଦାଚରଣ କରିଥିଲେ। ପରେ ପୀଡ଼ିତା ଛାତ୍ରୀ ଜଣଙ୍କ ଭୟରେ ସ୍କୁଲ ଯିବା ବନ୍ଦକରି ଦେଇଥିଲେ। ଏନେଇ ପୀଡ଼ିତାଙ୍କ ବାପା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

Share