ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ବନ୍ଧା ହେଲେ

ବୁଗୁଡ଼ା,୩୦।୧୦(ଡି.ଏନ୍‌.ଏ.): ଗତ କିଛି ବର୍ଷ ଧରି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରି ମାଲାମାଲ ହୋଇଥିବା ଜଣେ ଯୁବକ ପୋଲିସ ପଞ୍ଝାରେ ପଡି ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ବ୍ୟକ୍ତି ଜଣକ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ନିୟୁ ଭବାନୀ ଷ୍ଟୁଡିଓର ମାଲିକ ଦିଲୀପ କୁମାର ପ୍ରଧାନ। ପୋଲିସ ତାଙ୍କଠାରୁ କମ୍ପ୍ୟୁଟର, ହାର୍ଡ ଡିସ୍କ ଓ ପ୍ରିଣ୍ଟର ସହ ଏକ ଜାଲ୍‌ ସାର୍ଟିଫିକେଟ ଜବତ କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୬୩୪/୨୨) ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଦୀର୍ଘ ବର୍ଷ ହେଲା ବୁଗୁଡ଼ା ମୁଖ୍ୟ ସଡକରେ ଦିଲୀପ ଏକ ଫଟୋ ଷ୍ଟୁଡିଓ ଖୋଲି ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏସ୍‌ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଅଚାନକ ଚଢ଼ାଉ କରି ଜାଲ୍‌ ସାର୍ଟିଫିକେଟ ସାଙ୍ଗକୁ କମ୍ପ୍ୟୁଟର, ହାର୍ଡ ଡିସ୍କ ଓ ପ୍ରିଣ୍ଟର ଜବତ କରି ଦିଲୀପଙ୍କୁ ଉଠାଇ ନେଇ ପରେ ଗିରଫ କରିଥିଲା ।

Share