ନିର୍ବାଚନ ପ୍ରଚାରର ମାଧ୍ୟମ ପାଲଟିଛି ୟୁଟ୍ୟୁବ୍‌: ବ୍ଲଗର୍‌ଙ୍କ ଦ୍ୱାରା କଟକର ଖାଦ୍ୟ, ପ୍ରସିଦ୍ଧ ସ୍ଥାନକୁ ଗୁରୁତ୍ୱ

କଟକ,୧୦ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ନେଇ ବାରବାଟୀ-କଟକ ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଏବେ ନୂଆଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ପ୍ରକାଶ ବେହେରା, ଭାଜପାର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ କଂଗ୍ରେସର ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି। ପ୍ରକାଶ ଏମ୍‌ବିଏ ଡିଗ୍ରୀ ପ୍ରାପ୍ତ, ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଏବଂ ସୋଫିଆ ପେସାରେ ଜଣେ ଇଞ୍ଜିନିୟର। ଏହି ୩ ପ୍ରମୁଖ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଲୋକେ ଆଲୋଚନା କରୁଛନ୍ତି। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀ ଭିନ୍ନ ଶୈଳୀ ଆପଣାଇଛନ୍ତି। ଏବେ ସୋସିଆଲ ମିଡିଆ ଖାସ୍‌ କରି ବ୍ଲଗର୍‌ଙ୍କୁ ନେଇ ଛୋଟ ଭିଡିଓ, ବ୍ଲଗିଙ୍ଗ କରି ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି। ଜନସାଧାରଣ ଏବେ ୟୁଟ୍ୟୁବ୍‌ ପ୍ରତି ବେଶ୍‌ ଆକୃଷ୍ଟ ଥିବାବେଳେ ଏହା ପ୍ରଚାରର ଏକ ପ୍ରକାର ମାଧ୍ୟମ ପାଲଟିଛି। ଏଭଳି ପ୍ରଚାର କରିବାରେ ନଜରକୁ ଆସିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ। ବ୍ଲଗର୍‌ଙ୍କ ସହ ନିର୍ବାଚନ ସମ୍ପର୍କରେ ସେ ଆଲୋଚନା କରିବା ସହ କଟକର ପୁରାତନ ସ୍ଥାନ, ତାରକସି କାର୍ଯ୍ୟ, ପ୍ରସିଦ୍ଧ ଖାଦ୍ୟ ଯଥା- ଦହିବରା, ମିକ୍ସଚରକୁ ଗୁରୁତ୍ୱ ଦେଇ ବ୍ଲଗର୍‌ମାନେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରୁଛନ୍ତି। ଏହାଦ୍ୱାରା ବିଶ୍ୱବାସୀ କଟକ ବିଷୟରେ ଜାଣିପାରୁଛନ୍ତି। ପୂର୍ବରୁ ବିଜେଡି କଟକ ଲୋକ ସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏପରି ବ୍ଲଗରଙ୍କ ସହ ନଜର ଆସିଥିବାବେଳେ ଏବେ ସୋଫିଆ ବ୍ଲଗର ରୋହିତ ଶ୍ରୀବାସ୍ତବଙ୍କ ସହ ନଜର ଆସିଛନ୍ତି।