Categories: ଫୁରସତ

ରେକର୍ଡ ନିଶା: କଫିନ୍‌ରେ ୭ ଦିନ ବିତାଇଲେ ୟୁଟ୍ୟୁବର

ୱାଶିଂଟନ: ଲୋକେ କିଛି ଭିନ୍ନ କରିବା ଉଦ୍ଦେଶ୍ୟରେ ଏପରି କିଛି କାର୍ଯ୍ୟ କରିଥାନ୍ତି, ଯାହା ଅତ୍ୟନ୍ତ ଅବିଶ୍ୱସନୀୟ। ଜଣେ ବ୍ୟକ୍ତି ଏପରି କିଛି କରିବାକୁ ଯାଇ ନିଜକୁ ୭ ଦିନ ପର୍ଯ୍ୟନ୍ତ ମାଟିରେ ପୋତି ଦେଇଥିଲେ। ବ୍ୟକ୍ତି ଜଣଙ୍କ ୭ ଦିନ ଏପରି ରହିବା ପରେ ତାଙ୍କର ମାନସିକ ସ୍ଥିତି ଏବେ ଭଲ ନ ଥିବା କହିଛନ୍ତି। ନିକଟରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ୭ ଦିନ ପର୍ଯ୍ୟନ୍ତ ଏକ କଫିନ ଭିତରେ ପୋତାହୋଇ ରହିଥିବା ଦେଖିବାକୁ ମିଳିଥିଲା। ବହୁତ ଲୋକ ଏଥିରେ ଭିନ୍ନ କମେଣ୍ଟ କରିଛନ୍ତି। ତେବେ ଏପରି କାମ ପ୍ରସିଦ୍ଧ ୟୁଟ୍ୟୁବର ମିଷ୍ଟର ବିଷ୍ଟ କରିଛନ୍ତି। ତାଙ୍କ ପ୍ରକୃତ ନାମ ଜିମ୍ମି ଡୋନାଲ୍ଡ। ୨୫ ବର୍ଷୀୟ ଜିମ୍ମି ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା ପରେ ଏହାକୁ ଘରେ ପ୍ରୟାସ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ଜଣେ ପ୍ରସିଦ୍ଧ ୟୁଟ୍ୟୁବର ହୋଇଥିବାବେଳେ ସେ ମାସକୁ ପ୍ରାୟ ୩ରୁ ୫ ମିଲିୟନ ଡଲାର ରୋଜଗାର କରିଥାନ୍ତି। ଭିଡିଓରେ ଜିମ୍ମି ଏକ କଫିନରେ ଶୋଇଥିବା ଦେଖିବାକୁ ମିଳିଛି ଏବଂ ସେହି କଫିନ ଭିତରେ ତାଙ୍କ ଖାଦ୍ୟ- ପାନୀୟର ସମସ୍ତ ସୁବିଧା ମଧ୍ୟ ରହିଛି। ପ୍ରଥମେ ଗାତ ଖୋଳା ଗଲା। ଏହାପରେ ଜିମ୍ମି ଶୋଇଥିବା କଫିନକୁ ତା’ ଭିତରେ ରଖାଯାଇ ତା’ ଉପରେ ମାଟି ପକାଇ ତାକୁ ସମ୍ପୂର୍ଣ୍ଣ ପୋତି ଦିଆଗଲା। ସେ ସେହି କଫିନ ଭିତରେ ଥାଇ ମଧ୍ୟ କିଛି ଭିଡିଓ କରିଛନ୍ତି। ୨୦୨୧ରେ ଏପରି ଥରେ ସେ ନିଜକୁ କଫିନ ମଧ୍ୟରେ ପୋତିଥିଲେ। ସେତେବେଳେ ସେ ନିଜକୁ ପ୍ରାୟ ୫୦ ଘଣ୍ଟା ପର୍ଯ୍ୟନ୍ତ ପୋତିଥିଲେ। ତେବେ ସେ ଏବେ ସେହି ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ କରିଛନ୍ତି।

Share