
ଢାକା,୨୧।୩: ଦେଶର ନିର୍ବାଚନକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ଚାପ ମଧ୍ୟରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମତ ନରମ ହେଉଥିବା ପରି ମନେ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ଶେଖ ହାସିନାଙ୍କ ଦଳ, ବାଂଲାଦେଶ ଆୱାମୀ ଲିଗକୁ ନିଷିଦ୍ଧ କରିବାର କୌଣସି ଯୋଜନା ନାହିଁ।
ସେ ଏହା ମଧ୍ୟ କହିଛନ୍ତି ଯେ ହତ୍ୟା ଏବଂ ମାନବତା ବିରୋଧୀ ଅପରାଧ ସମେତ ଅପରାଧରେ ଅଭିଯୁକ୍ତ ନେତାମାନଙ୍କୁ କୋର୍ଟରେ ବିଚାରର ସମ୍ମୁଖୀନ କରାଯିବ। ଏହି ପରିପ୍ରେକ୍ଷୀରେ, ମୁଖ୍ୟ ପରାମର୍ଶଦାତାଙ୍କ ଗଣମାଧ୍ୟମ ବିଭାଗ ଗୁରୁବାର ଏକ ସରକାରୀ ବିବୃତ୍ତି ଜାରି କରିଛି।
ଗୁରୁବାର ମହମ୍ମଦ ୟୁନୁସ ଢାକାରେ ପହଞ୍ଚିଥିବା କମ୍ଫର୍ଟ ଆରୋଙ୍କ ନେତୃତ୍ୱରେ ‘ଇଣ୍ଟରନ୍ୟାଶନାଲ କ୍ରାଇସେସ ଗ୍ରୁପ’ର ପ୍ରତିନିଧିମଣ୍ଡଳକୁ ଭେଟିଥିଲେ। ଏହି ସମୟରେ ସେ କହିଥିଲେ ଯେ ନିର୍ବାଚନ ପାଇଁ ଦୁଇଟି ତାରିଖ ସ୍ଥିର କରାଯାଇଛି ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ୟୁନୁସ ଆଶ୍ୱାସନା ଦେଇଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ସରକାର ସମୟସୀମାରେ ନିର୍ବାଚନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ୟୁନୁସ କ୍ରାଇସିସ ଗ୍ରୁପକୁ କହିଥିଲେ ଯେ ଜୁଲାଇ ବିଦ୍ରୋହ ସମୟରେ ସମ୍ଭାବ୍ୟ ଅପରାଧ ପାଇଁ ସରକାର ଆୱାମୀ ଲିଗ ନେତାମାନଙ୍କୁ ହେଗ ସ୍ଥିତ ଅନ୍ତର୍ଜାତୀୟ ଅପରାଧ ଅଦାଲତକୁ ପଠାଇବାକୁ ମନା କରୁନାହିଁ। ‘ଏହା ସମ୍ପୂର୍ଣ୍ଣ ବିଚାରାଧୀନ ଅଛି,’ ବୋଲି ସେ କହିଛନ୍ତି।
ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିବା ପାଇଁ ପ୍ରତିଶ୍ରୁତିକୁ ଦୋହରାଇ ୟୁନୁସ ସ୍ପଷ୍ଟ କରିଛନ୍ତି ଯେ କୌଣସି ଦାବି ଯୋଗୁଁ ଭୋଟଦାନ ବିଳମ୍ବିତ ହେବ ନାହିଁ। ସେ କହିଛନ୍ତି ଯେ ଯଦି ରାଜନୈତିକ ଦଳଗୁଡ଼ିକ କେବଳ ସୀମିତ ସଂସ୍କାର ଦାବି କରନ୍ତି, ତେବେ ଡିସେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବ, କିନ୍ତୁ ଯଦି ସେମାନେ ବ୍ୟାପକ ସଂସ୍କାର ଦାବି କରନ୍ତି, ତେବେ ଆସନ୍ତା ବର୍ଷ ଜୁନ ମାସରେ ଭୋଟ ଗ୍ରହଣ କରାଯିବ। ୟୁନୁସ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ହେବ।