ନୁଆଦିଲ୍ଲୀ,୨୬।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ପ୍ରାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟାଇଗର ମେମନଙ୍କ ଭାଇ ୟୁସୁଫ ଜେଲରେ ଆଜୀବନ ସଜା କାଟୁଥିଲେ। ସିରିଏଲ ବୋମା ବିସ୍ଫୋରଣ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଏହି ମାମଲାରେ ତାଙ୍କୁ ୨୦୦୭ରେ ଆଜୀବନ ଦଣ୍ଡ ଶୁଣାଇଥିଲେ କୋର୍ଟ। ପ୍ରଥମେ ସେ ମୁମ୍ବାଇର ଅର୍ଥର ରୋଡ ଜେଲରେ ରହିଥିଲେ। ୨୦୧୮ରେ ତାଙ୍କୁ ନାସିକ ଜେଲ ପଠାଇ ଦିଆଯାଇଥିଲା। ୧୯୯୩ରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ୧୨ଟି ବିସ୍ଫୋରଣ ହୋଇଥିଲା। ମାର୍ଚ୍ଚ ୧୨ରେ ୨ ଘଣ୍ଟା ୧୦ ମିନିଟ୍ ମଧ୍ୟରେ ହୋଇଥିବା ଏହି ୧୨ ବିସ୍ଫୋରଣରେ ପାଖାପାଖି ୩୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଣ୍ଡର ଓ୍ବାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ନାଁ ଉଠିଥିବା ବେଳେ ସେ ଭାରତ ଛାଡି ଲୁଚି ପଳାଇଥିଲେ। ଏଥିରେ ଟାଇଗର ମେମନଙ୍କୁ ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ୟୁସୁଫଙ୍କ ଆଉ ଜଣେ ଭାଇ ୟାକୁବ ମେମନଙ୍କୁ ୨୦୧୫ରେ ଫାଶି ଦିଆଯାଇଥିଲା। ଏକ ବିଶେଷ ଟାଡା ଅଦାଲତ ୟୁସୁଫଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।