Categories: ଖେଳ

କୋହଲିଙ୍କୁ ପରିହାସ କଲେ ଯୁବରାଜ

ନୂଆଦିଲ୍ଲୀ,୯।୧୧: ନିକଟରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏମଏସ ଧୋନି ଓ ତାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱକୁ ନେଇ ଏକ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ସେ କହିଥିଲେ ମୁଁ ଆଉ ଧୋନି କେବେହେଲେ ନିକଟତର ବନ୍ଧୁ ନୁହେଁ। ଆଉ ଏବେ ସେ ବିରାଟ କେହଳିଙ୍କୁ ନେଇ ଏକ ମଜାଦାର କଥା କହିଛନ୍ତି। ଟିଆରଏସ ପୋଡକାଷ୍ଟରେ କଥାବାର୍ତ୍ତା କରୁଥିବାବେଳେ ଯୁବରାଜ ଥଟ୍ଟା କରି କହିଥିଲେ, ସେ (ବିରାଟ) ଭାବନ୍ତି ଯେ ସେ ଜଣେ ଭଲ ଫୁଟବଲର୍‌ କିନ୍ତୁ ତାଙ୍କ ଅପେକ୍ଷା ମୋର ଅଧିକ ଦକ୍ଷତା ଅଛି। ସେ ଜଣେ ଯୁବକ ସେ ଭଲ ଭାବରେ ଦୌଡ଼ନ୍ତି। ସେ ଭାବନ୍ତି ସେ କ୍ରିଷ୍ଟିଆନୋ ରୋନାଲଡୋ କିନ୍ତୁ ସେ ନୁହଁନ୍ତି। କିନ୍ତୁ ସେ ନିଶ୍ଚିତ ଭାବେ କ୍ରିକେଟର ରୋନାଲଡୋ। ଯଦିଓ ଆମେ ଫିଟନେସ ବିଷୟରେ କଥା ହେଉ, ତାଙ୍କ ମାନସିକତା ସମାନ (ରୋନାଲଡୋ ସହିତ)। ଏବଂ ଖେଳ ଉପରେ ସେମାନଙ୍କର ଧ୍ୟାନରେ ଉଭୟଙ୍କ ମଧ୍ୟରେ ସମାନତା ଅଛି।
ଯେତେବେଳେ ଯୁବରାଜଙ୍କୁ ପଚରାଗଲା ଯେ ସେ ଏବଂ ବିରାଟ ପରସ୍ପରକୁ ଭେଟିଛନ୍ତି କି ନାହିଁ, ଯୁବରାଜ କହିଲେ, ନା, ତାହା ନୁହେଁ। ସେ ବ୍ୟସ୍ତ ଥିବାରୁ ମୁଁ ତାଙ୍କୁ ହଇରାଣ କରୁନାହିଁ । ଯୁବ ବିରାଟ କୋହଲିଙ୍କ ନାମ ଚିକୁ ଥିଲା। ଆଜି ଚିକୁ ବିରାଟ କୋହଲି ହୋଇଛନ୍ତି। ଏହା ଏକ ବଡ ପାର୍ଥକ୍ୟ। ଏହି ସମୟରେ ସେ ଫିଟନେସ ଦୃଷ୍ଟିରୁ ବିରାଟଙ୍କୁ ପ୍ରଶଂସା କରି କହିଥିଲେ, ଆମେ ସମସ୍ତେ ଗୋଟିଏ ଫିଟ ଟିମ ରହିବାକୁ ଚାହୁଁଥିଲୁ କିନ୍ତୁ ଯେତେବେଳେ ବିରାଟ ଅଧିନାୟକ ହୋଇଥିଲେ ସେତେବେଳେ ଅନେକ କିଛି ବଦଳିଗଲା। ସେ ଏକ ମାନଦଣ୍ଡ ବା ବେଂଚମାର୍କ ସ୍ଥିର କଲେ। ସୂଚନାଯୋଗ୍ୟ, ନିକଟରେ ଯୁବରାଜ ଏକ ଲମ୍ବା ପୋଷ୍ଟ ଲେଖି ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ।

Share