Categories: ଖେଳ

ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ

ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ।

ଶୁକ୍ରବାର ସୋସିଆଲ ମିଡିଆରେ କୋହଲିଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡେନ୍‌ ଜୋତା ଉପହାର ସହ ବାର୍ତ୍ତା ଲେଖିଛନ୍ତି ଯୁବରାଜ। ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିବା କହିଛନ୍ତି ସେ। ତୁମେ ଯେଉଁଭଳି ସେଭଳି ରୁହ। ଯେଉଁଭଳି ଖେଳ ସେହିଭଳି ଖେଳି ଦେଶ ପାଇଁ ଗୌରବ ଆଣ ବୋଲି ସେ ଲେଖିଛନ୍ତି।

ଏଥିସହ ସେ ପୋଷ୍ଟ କରିଥିବା ଚିଠିରେ ଲେଖିଛନ୍ତି, ବିରାଟ ତୁମକୁ ଜଣେ କ୍ରିକେଟର ଏବଂ ମଣିଷ ଭାବେ ବଡ଼ ହୋଇଥିବା ଦେଖିଛି। ନିଜେ ତୁମେ ଏବେ ଜଣେ ମହାନ ଖେଳାଳି। ପଡ଼ିଆ ଭିତରେ ତୁମର ଶୃଙ୍ଖଳା ଏବଂ ଖେଳ ପ୍ରତି ଆଗ୍ରହ ପ୍ରତ୍ୟେକ ଭାରତୀୟ ପିଲାଙ୍କୁ ବ୍ୟାଟ୍‌ ଉଠାଇବା ଏବଂ ଦିନେ ନୀଳ ଜର୍ସି ପିନ୍ଧିବାର ସ୍ବପ୍ନ ଦେଖାଇବା ଲାଗି ପ୍ରେରଣା ଦେଉଛି। ତୁମେ ଜଣେ ମହାନ ଅଧିନାୟକ। ଭଲ ଲିଡର୍‌ ବୋଲି ଯୁବରାଜ କହିଛନ୍ତି।

Share