Categories: ଖେଳ

ଅବସରରୁ ଫେରିବାକୁ ଯାଉଛନ୍ତି ଯୁବରାଜ

ନୂଆଦିଲ୍ଲୀ,୨।୧୧: ବିଶ୍ୱକପ୍‌ ଚାମ୍ପିୟନ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆସନ୍ତା ବର୍ଷ ଫେବୃୟାରୀରେ ଅବସରରୁ ଫେରି ପାରନ୍ତି। ଏ ନେଇ ସୋମବାର ମଧ୍ୟରାତିରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ପବ୍ଲିକ ଡିମାଣ୍ଡ କାରଣରୁ ଅବସର ଘୋଷଣା କରିବାର ଦୁଇ ବର୍ଷ ପରେ ପ୍ରଖ୍ୟାତ ଅଲରାଉଣ୍ଡର ପୁଣି କ୍ରିକେଟ ପଡ଼ିଆକୁ ଓହ୍ଲାଇବାକୁ ଚିନ୍ତା କରୁଛନ୍ତି।

୨୦୧୭ ଜାନୁୟାରୀରେ କଟକଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବି ୧୫୦ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଏହା ଥିଲା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ଶତକ। ଏହି ଇନିଂସର ଏକ ଭିଡିଓ ଶେୟାର କରିଛନ୍ତି ୩୯ ବର୍ଷୀୟ ଯୁବି। ଏଥିସହ ଲେଖିଛନ୍ତି, “ଇଶ୍ୱର ଭାଗ୍ୟ ନିର୍ଣ୍ଣୟ କରନ୍ତି। ପବ୍ଲିକ ଡିମାଣ୍ଡରେ ମୁଁ ଫେବୃୟାରୀରେ ପିଚ୍‌କୁ ଫେରିବାକୁ ଆଶା ରଖିଛି। ଆପଣମାନଙ୍କ ଭଲ ପାଇବା ଓ ଶୁଭେଚ୍ଛା ମୋ ପାଇଁ ଖୁବ୍‌ ମାନେ ରଖେ। ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବା ଜାରି ରଖ। ଏହା ଆମ ଦଳ। ଜଣେ ସଚ୍ଚୋଟ ପ୍ରଶଂସକ ଖରାପ ସମୟରେ ହିଁ ସମର୍ଥନ ଦିଏ”।

ତେବେ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ନା ଟି୨୦ ଲିଗ୍‌ରେ ଖେଳିବା ଲାଗି ସେ ଅବସରରୁ ଫେରିବାକୁ ଯାଉଛନ୍ତି, ତାହା ଜଣା ପଡ଼ିନାହିଁ। ୨୦୧୧ ବିଶ୍ୱକପ୍‌ରେ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଥିବା ଅଲରାଉଣ୍ଡର ୨୦୧୯ ଜୁନରେ ଅବସର ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ପାଇଁ ୨୦୦୦ରେ ପର୍ଦାପଣ କରିଥିବା ଯୁବି ମୋଟ ଉପରେ ୩୦୪ ଦିନିକିଆ ( ୮,୭୦୧ ରନ୍‌ ) ଓ ୪୦ ଟେଷ୍ଟ (୧,୯୦୦ ରନ୍‌)ମ୍ୟାଚ୍‌ ଖେଳିଥିଲେ।

Share