Categories: ଖେଳ

ରିଷଭ ପନ୍ତଙ୍କୁ ଭେଟିଲେ ଯୁବରାଜ: ଫଟୋ ଶେୟାର କରି, ହୃଦୟକୁ ଛୁଇଁଲା ଭଳି ଲେଖିଲେ ନୋଟ

ନୂଆଦିଲ୍ଲୀ,୧୭।୩: ଭାରତର ଷ୍ଟାର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ସବୁବେଳେ ତାଙ୍କ କାର୍ଯ୍ୟକଳାପର ଫଟୋ କିମ୍ବା ଭିଡିଓ ଶେୟାର କରିଥାନ୍ତି। ଇତିମଧ୍ୟରେ ସିକ୍ସର୍‌ କିଙ୍ଗ୍‌ ଭାବେ ଜଣାଶୁଣା ଯୁବରାଜ ସିଂ ଶୁକ୍ରବାର ରିଷଭ ପନ୍ତଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟର ଦୃଶ୍ୟକୁ ଯୁବରାଜ ସୋସିଆଲ ମିଡିଆରେ ଶେୟାର କରିବା ସହ ହୃଦୟକୁ ଛୁଇଁଲା ଭଳି ଏକ ନୋଟ୍‌ ଲେଖିଛନ୍ତି। ପନ୍ତଙ୍କୁ ଭେଟିବା ପରେ ଖେଳାଳି ଯୁବରାଜ ସିଂ ଫଟୋ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ଏହି ଚାମ୍ପିୟନ ଖେଳାଳି ପୁଣି ନିଜର ଚମକ ଦେଖାଇବେ। ସୂଚନାଯୋଗ୍ୟ, ଯୁବରାଜ କର୍କଟ ରୋଗରୁ ମୁକ୍ତି ପାଇବା ପରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଖୁବ୍‌ ଭଲଭାବେ ଜାଣନ୍ତି ଯେ, ଏଭଳିି ପରିସ୍ଥିତିକୁ କିପରି ମୁକାବିଲା କରାଯିବ। ସୂଚନା ମୁତାବକ, ୨୦୨୨ ବର୍ଷ ଶେଷରେ ଏ ରିଷଭ ପନ୍ତ ଏକ ଭୟଙ୍କର କାର ଦୁର୍ଘଟଣାର ଶୀକାର ହୋଇଥିଲେ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା ପରେ ସେ ମୁମ୍ବାଇରେ ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ସେ ବିଶ୍ରାମରେ ଅଛନ୍ତି, ରିକଭରି ପାଇଁ ତାଙ୍କୁ ପ୍ରାୟ ୬ ମାସ ସମୟ ଲାଗିପାରେ। ତେଣୁ ତାଙ୍କୁ ଆଇପିଏଲ ୨୦୨୩ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଦିଲ୍ଲୀ କେପିଟାଲ୍ସର ଅଧିନାୟକ ଭାବେ ଡେଭିଡ ୱାର୍ନରଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି।

Share