Categories: ଖେଳ

ଆଇସିସି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ହାରିଯାଉଛି କାହିଁକି? ଜିତିବାର ଫର୍ମୂଲା କହିଲେ ଯୁବରାଜ

ନୂଆଦିଲ୍ଲୀ,୧୫।୧: ଟିମ ଇଣ୍ଡିଆ ଗତ ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି। ଭାରତୀୟ ଦଳ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୧୩ ଜିତିଛି, କିନ୍ତୁ ସେବେଠାରୁ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇ ନାହିଁ। ଯଦିଓ ଟିମ ଇଣ୍ଡିଆ ଅନେକ ଥର ଆଇସିସି ଟୁର୍ନାମେଣ୍ଟର ଫାଇନାଲ ଏବଂ ସେମିଫାଇନାଲରେ ପହଞ୍ଚିଛି, କିନ୍ତୁ ଟ୍ରଫି ଜିତିପାରନାହିଁ। ଟି-୨୦ ବିଶ୍ୱକପ୍‌ ୨୦୦୭ ପରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ୍‌ ୨୦୧୧ରେ ଜିତିଥିଲା। ଏହି ବିଜୟରେ ଟିମ ଇଣ୍ଡିଆର ଅଲରାଉଣ୍ଡର ଯୁବରାଜ ସିଂଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ତେବେ ବର୍ତ୍ତମାନ ଯୁବରାଜ ସିଂ ଟିମ ଇଣ୍ଡିଆକୁ ଆଇସିସି ଟୁର୍ନାମେଣ୍ଟ ଜିତିବାର ଫର୍ମୂଲା କହିଛନ୍ତି।

ଯୁବରାଜ ବିଶ୍ୱାସ କରନ୍ତି ଯେ ଯଦି ଭାରତକୁ ଆଇସିସି ଟ୍ରଫି ଜିତିବାକୁ ପଡ଼ିବ, ତେବେ ଖେଳାଳିମାନଙ୍କୁ ଚାପ ନିୟନ୍ତ୍ରଣ କରିବାକୁ ଶିଖିବାକୁ ପଡ଼ିବ । ଯଦି ଟିମ ଇଣ୍ଡିଆର ଖେଳାଳିମାନେ ବଡ଼ ଟୁର୍ନାମେଣ୍ଟର ଚାପ ବହନ କରିବାରେ ସଫଳ ହୁଅନ୍ତି, ତେବେ ଜିତିବାରେ କୌଣସି ଅସୁବିଧା ହେବ ନାହିଁ । ସେ କହିଛନ୍ତି , ଆମେ ତିନୋଟି ଫର୍ମାଟରେ ଅନେକ ଫାଇନାଲ ଖେଳିଛୁ, କିନ୍ତୁ ଜିତି ପାରି ନାହୁଁ। ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ୬ ଥର ଜିତିଛି, ହେଲେ ଆମେ ୨ଥର ଜିତିଛୁ। ଆମେ କିପରି ବଡ଼ ଟୁର୍ନାମେଣ୍ଟ ଜିତିପାରିବା ତାହା ଉପରେ କାର୍ଯ୍ୟ କରିବା ଆବଶ୍ୟକ । ବଡ ଟୁର୍ନାମେଣ୍ଟ ପାଇଁ ଆମେ ଶାରୀରିକ ଭାବରେ କଠିନ ପରିଶ୍ରମ କରୁ, କିନ୍ତୁ ମାନସିକ ସ୍ତରରେ କାମ କରିବାକୁ ସକ୍ଷମ ନୁହଁ।

ଯୁବରାଜ କହିଛନ୍ତି ଯେ, ଆମ ଦଳ ଆଇସିସି ଟୁର୍ନାମେଣ୍ଟ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ। ଆମ ଦଳରେ ଏପରି ବ୍ୟାଟର୍‌ ରହିବା ଉଚିତ୍‌, ଯେଉଁମାନେ ଚାପରେ ମଧ୍ୟ ଖେଳିପାରିବେ। କେବଳ ୧-୨ ଜଣ ଖେଳାଳି ନୁହଁନ୍ତି ସମଗ୍ର ଦଳକୁ ପ୍ରସ୍ତୁତ ହେବାକୁ ପଡିବ। ଶାରୀରିକ ପରିଶ୍ରମ ବ୍ୟତୀତ ଆମର ଖେଳାଳୀୟିମାନେ ମାନସିକ ସ୍ତରରେ କାର୍ଯ୍ୟ କରିବା ଆବଶ୍ୟକ ।

Share