ନୂଆଦିଲ୍ଲୀ,୧୬।୫: କରୋନାରେ ସଂକ୍ରମିତ ହୋଇଛନ୍ତି କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ମା’ବାପା। ଅବସ୍ଥା ଗୁରୁତର ଥିବାରୁ ଚହଲଙ୍କ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘରେ ତାଙ୍କ ମା’ଙ୍କ ଚିକିତ୍ସା ଜାରି ରହିଛି। ଏସବୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଚହଲ। ମା’ବାପାଙ୍କ ସହ ତାଙ୍କର ଏକ ଫଟୋକୁ ସୋସିଆଲ ମିଡିଆରେ ସେ ପୋଷ୍ଟ କରି ନିଜର ପ୍ରିୟ ଲୋକମାନଙ୍କୁ ପାଖରେ ରଖନ୍ତୁ ବୋଲି କହିଛନ୍ତି। ପୋଷ୍ଟଟି ଭାଇରାଲ ହେଉଥିବା ବେଳେ ଶୀଘ୍ର ସବୁକିଛି ଠିକ୍ ହୋଇଯିବ ବୋଲି ଅନେକ ମତ ରଖୁଛନ୍ତି।
ତେବେ ନିକଟରେ ଚହଲଙ୍କ ସ୍ତ୍ରୀ ଧନଶ୍ରୀ ନିଜର ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି ଶାଶୁଶ୍ୱଶୁରଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଥିଲେ। ଅପରପକ୍ଷେ ଚହଲ ମାନସିକ ରୂପେ ଚିନ୍ତାରେ ରହୁଥିଲେ ହେଁ ଅନ୍ୟମାନଙ୍କ ସହାୟତା ପାଇଁ ଆଗକୁ ଆସୁଛନ୍ତି। କିଛି ଦିନ ତଳେ ସେ ବାଙ୍ଗାଲୋରରେ ଜଣେ ରୋଗୀଙ୍କ ସହାୟତା ପାଇଁ ୨ ଲକ୍ଷ ଟଙ୍କା ଦାନ କରିଥିଳେ। ଏହାଛଡ଼ା ସେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫଣ୍ଡ ରେଜିଙ୍ଗ ଅଭିଯାନକୁ ୯୫ ହଜାର ଟଙ୍କା ଦାନ କରିଥିଲେ।