ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଘଟଣାକୁ ନେଇ ଚେତାବନୀ ଦେଲା ଆଇଏଇଏ

ଭିଏନା,୪ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଥିବା ବେଳେ ବେଳକୁ ବେଳ ଏହା ଭୟଙ୍କର ରୂପ ଧାରଣ କରୁଛି । ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହର ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ବେଳେ ସାଧାରଣ ନାଗରିକଙ୍କ କୁଢ କୁଢ ମୃତଦେହ ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଏହାରି ଭିତରେ ୟୁକ୍ରେନରେ ଥିବା ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆ ଲାଗି ଯାଇଥିବା ସୂଚନା ମିଳିଛି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ଏକ ଭିଡିଓ ଜାରି କରାଯାଇଛି । ଏଥିରେ ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜପୋରିଝିଆରେ ନିଆଁ ଲାଗିଥିବା ଦୃଶ୍ୟମାନ ହୋଇଛି । ରୁଷିଆ ପକ୍ଷରୁ ଆକ୍ରମଣ ପରେ ଏହାର ଚାରିପଟରେ ନିଆଁ ଲାଗି ଯାଇଛି । ତେବେ ଏଥିରେ ଯଦି ବିସ୍ଫୋରଣ ହେଲା ତେବେ ଏହା ଚେର୍ନୋବିଲଠାରୁ ୧୦ ଗୁଣା ଅଧିକ ହେବ ବୋଲି କୁହାଯାଇଛି । ଜପୋରିଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଇଣ୍ଟରନ୍ୟାଶନାଲ ଆଟୋମିକ ଏନର୍ଜି ଏଜେନ୍ସି ବା ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ଏଜେନ୍ସି(ଆଇଏଇଏ) ପକ୍ଷରୁ ଚେତାବନୀ ଜାରି କରଯାଇଛି । ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ମାରିୟାନୋ ଗ୍ରାଁସି ଏହାକୁ ନେଇ ୟୁକ୍ରେନର ପ୍ରଧାନମନ୍ତ୍ରୀ ଡେନିସ ଶ୍ୟାମଗଲ ଓ ୟୁକ୍ରେନ ପରମାଣୁ ନିୟାମକ ଓ ଅପରେଟରଙ୍କ ସହ କଥା ହୋଇଛନ୍ତି । ସେ ରୁଷିଆକୁ ବଳ ପ୍ରୟୋଗ କରିବାରୁ ଦୂରେଇ ରହିବା କଥା କହିଥିବା ବେଳେ ରିଆକ୍ଟରରେ ବିସ୍ଫୋରଣ ହେଲେ ଗୁରୁତର କ୍ଷତିର ଚେତାବନୀ ଦେଇଛନ୍ତି । ଆଇଏଇଏ ଟୁଇଟ କରି ଏହି ଚେତାବନୀ ଦେଇଛି ।

Share